କରୋନା ବିରୋଧରେ ଶତାୟୁ ମହିଳାଙ୍କ ବିଜୟ । ସ୍ପେନର ସବୁଠାରୁ ବୟସ୍କ ମହିଳା କୁହା ଯାଉଥିବା ମାରିଆ ବ୍ରାନୟାସ୍, ୧୧୩ ବର୍ଷ ବୟସରେ କରୋନାକୁ ଜିତିଛନ୍ତି । ମହାମାରୀରୁ ଭଲ ହେବା ପରେ ଏବେ ସମ୍ପୂର୍ଣ୍ଣ ସୁସ୍ଥତା ଅନୁଭବ କରୁଥିବା ମାରିଆ କହିଛନ୍ତି । ଏବେ କାଟାଲୋନିଆର ଓଲୋଟ୍ କେୟାର ହୋମରେ ଅଛନ୍ତି ସେ ।
ଗତ ମାର୍ଚ୍ଚ ୪ ତାରିଖରେ ମାରିଆଙ୍କ ପରିବାର ଲୋକେ, ତାଙ୍କ ୧୧୩ତମ ଜନ୍ମଦିନ ପାଳନ ପାଇଁ କେୟାର ହୋମକୁ ଆସିଥିଲେ । ଆଉ ତାର କିଛି ଦିନ ପରେ କରୋନାରେ ସେ ଆକ୍ରାନ୍ତ ହେଲେ । ତା ପରଠାରୁ ତାଙ୍କ ପରିବାର ଲୋକେ, ତାଙ୍କୁ ଦେଖା କରିବାକୁ ଆସି ନାହାନ୍ତି । ସେପଟେ ମାରିଆଙ୍କ ଠାରୁ ବୟସରେ ଯଥେଷ୍ଟ ସାନ, ସେହି କେୟାର ହୋମର ୨ ଜଣ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି ।
୧୯୦୭ ମାର୍ଚ୍ଚ ୪ ତାରିଖରେ ଜନ୍ମଗ୍ରହଣ କରିଥିବା ମାରିଆ, ତାଙ୍କ ଜୀବନରେ ଅନେକ ମହାମାରୀ ସାମ୍ନା କରିଛନ୍ତି । ୧୯୧୮ର ସ୍ପାନିସ୍ ଫ୍ଲୁ ଭଳି ମହାମାରୀ ସହ ଦୁଇ ଦୁଇଟି ବିଶ୍ୱଯୁଦ୍ଧ ଦେଖିଛନ୍ତି ମାରିଆ।
ସୂଚନାଯୋଗ୍ୟ, ଓଡ଼ିଶାର ଯାଜପୁର ଜିଲ୍ଲାର ଜଣେ ୮୫ ବର୍ଷୀୟ ବୃଦ୍ଧା ଦୀର୍ଘ ୧୨ ଦିନ ଧରି କରୋନା ସହ ଲଢ଼େଇ କରି ଜିତିଛନ୍ତି । ୨୨ କେଜି ଓଜନର ଏହି ବୃଦ୍ଧା କରୋନାରେ ଆକ୍ରାନ୍ତ ହେଲା ପରେ ସମ୍ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ଉଦ୍ୟମ ଓ ବୃଦ୍ଧାଙ୍କ ଦୃଢ଼ ମନୋବଳ ଆଗରେ କରୋନା ହାରିଯାଇଛି । ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି ବୃଦ୍ଧା ।