ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ବନ୍ୟାର ବିଭୀଷିକା ବେଳେ ଭୂସ୍ଖଳନର ଭୟାନକ କାହାଣୀ ସାମନାକୁ ଆସିଛି । ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବାଲି ଗ୍ରାମ ଧ୍ୱଂସସ୍ତୂପ ପାଲଟି ଯାଇଛି । ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତ ଅନ୍ତର୍ଗତ ଏହି ପାହାଡ଼ିଆ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ପାହାଡ଼ରୁ ବର୍ଷାପାଣି, ମାଟି ପଥର, ଗଛ ଧସେଇ ଆସି ଗାଁଟିକୁ ନିଶ୍ଚିନ୍ନ କରିଦେଇଛି । ମାଟି ତଳୁ ୧୧ ଜଣ ଗ୍ରାମବାସୀ ଜୀବନ ଧରି ଫେରିଥିବା ବେଳେ ୧୨ ଜଣ ନିଖୋଜ ଅଛନ୍ତି । ସେମାନଙ୍କର ପତ୍ତା ମିଳୁନି ।
ଗିଡ଼ିପାବାଲି ଗ୍ରାମରେ ୯ଟି ପରିବାରର ପ୍ରାୟ ୨୫ ଜଣ ବସବାସ କରୁଥିଲେ । ମୃତ୍ୟୁ କୋଳରୁ ଖସି ଆସିଥିବା ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବୁଧବାର ମଧ୍ୟରାତ୍ରରେ ଘୁ ଘୁ ଶବ୍ଦ କରି ପାହାଡ଼ରୁ ମାଟି, ପଥର, ଗଛ ସହ ପାଣିର ସ୍ରୋତ ଗାଁ ଭିତରକୁ ମାଡ଼ି ଆସିଥିଲା । ଗଭୀର ନିଦ୍ରାରୁ ଉଠି କିଛି ବୁଝିବା ଆଗରୁ ଆଖି ସାମନାରେ ନିମିଷକେ ଘରଗୁଡ଼ିକ ପୋତି ହୋଇଯାଇଥିଲା । ଭଗବାନଙ୍କ କୃପାରୁ ୧୧ ଜଣ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ ମଧ୍ୟ ୧୨ ଜଣଙ୍କର ଖୋଜଖବର ମିଳିଲାନି ।
ଜୀବନ ବଞ୍ଚାଇଥିବା ୧୧ ଜଣ ଗ୍ରାମବାସୀ ସେହି ଅନ୍ଧାର ରାତିରେ ପାହାଡ଼ ଉପରେ ଆଶ୍ରୟ ନେଇଥିଲେ । ଭୋକ ଓ ଶୋଷରେ ବୁଧବାର ରାତିରୁ ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ସେଠି ପଡ଼ି ରହିଥିଲେ । ଜିଲ୍ଲା ପ୍ରଶାସନ ଏହି ଖବର ପାଇଲା ପରେ ଅପରାହ୍ନରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲା । ଘୁ. ଉଦୟଗିରି ଅଞ୍ଚଳର ଏକ ଅସ୍ଥାୟୀ ଆଶ୍ରୟସ୍ଥଳରେ ସେମାନଙ୍କୁ ରଖାଯାଇଛି ।
ତେବେ ନିଖୋଜ ୧୨ ଜଣଙ୍କ ସମ୍ପର୍କରେ ଏ ପର୍ଯ୍ୟନ୍ତ ସଠିକ ତଥ୍ୟ ମିଳୁନାହିଁ । ଅନ୍ଧାରରେ ବାଡ଼ି ବୁଲାଇଲା ଭଳି ଗଣମାଧ୍ୟମକୁ ପ୍ରଶାସନ ବାଆଁରେଇ ଚାଲିଛନ୍ତି । ସେମାନଙ୍କ ଠାବ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର କସରତ ଚାଲିଛି । ଓଡ୍ରାଫ୍, ଏନଡିଆରଏଫ, ଭାରତୀୟ ବାୟୁସେନା ଓ ନୌସେନାର ଉଦ୍ଧାରକାରୀ ସହ ମାଟି ତଳୁ ଖୋଜି ଆଣିବା ପାଇଁ ସ୍ୱତନ୍ତ୍ର ହେଲିକପ୍ଟରରର ସହାୟତା ଲୋଡ଼ାଯାଇଛି । ରେଳ ବିଭାଗର ସହାୟତା ମଧ୍ୟ ନିଆଯାଇଛି । ମାଟି ତଳୁ ଖୋଜି ଆଣିବାର କୌଶଳ ଯୋଗାଇ ଦେବା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କଥା ହୋଇଛନ୍ତି ।
ସ୍ୱତନ୍ତ୍ର ରିଲିଫ କମିସନରଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ଆଜି ଏହାର ସମୀକ୍ଷା କରିଛନ୍ତି ।