ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଆରାଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ଜାତୀୟ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ଆଜି ମାଲକାନଗିରିଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ ମହୋତ୍ସବ ମହାସମାରୋହରେ ପାଳିତ ହୋଇଛି। ଜନଜାତି ବର୍ଗ ହେଉଛନ୍ତି ଦେଶର ସବୁଠାରୁ ସ୍ୱତନ୍ତ୍ର ଓ ଗୁରୁତ୍ୱପୂର୍ଣ୍ଣ ବର୍ଗ। ସେମାନଙ୍କ ସଶକ୍ତିକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ। ମାଲକାନଗିରି ଜିଲ୍ଲାର ବିକାଶ ଉପରେ ତାଙ୍କର ସମ୍ପୂର୍ଣ୍ଣ ଫୋକସ୍ ରହିଛି। ସମୃଦ୍ଧ ଓଡିଶା ଗଠନ ଦିଗରେ ଟିମ୍ ଓଡିଶା ରେ ସାମିଲ୍ ହେବା ପାଇଁ ଟିମ୍ ମାଲାକାନଗିରି ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।
ଆଦିବାସୀ ପରିବାରଗୁଡ଼ିକର ଆର୍ଥିକ ସ୍ୱାବଲମ୍ବନ ଏବଂ ଜୀବିକା ନିର୍ବାହକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ଦୀର୍ଘମିଆଦୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବିସ୍ତୃତ ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ’ ଅଧୀନରେ ଓଡ଼ିଶାର ୨୭ଟି ଜିଲ୍ଲାର ୭ ହଜାର ୬୬୭ଟି ଗ୍ରାମକୁ ସାମିଲ କରାଯାଇ ପକ୍କା ଘର, ପାନୀୟ ଜଳ, ସଡ଼କ, ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁବିଧା ଯୋଗାଇ ଦିଆଯାଉଛି।
ମାଲକାନଗିରିର ଦୁର୍ଗମ ଅଞ୍ଚଳରୁ ଆସି ବଣ୍ଡା ଜନଜାତିର ମଙ୍ଗଳା ମୁଦୁଲି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଏବଂ ଦିଦାୟୀ ଜନଜାତିର ଚମ୍ପା ରାସପେଦା ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜରେ ନିଟ୍ ପରୀକ୍ଷାରେ ସଫଳତା ପାଇ ଡାକ୍ତରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ, ବଣ୍ଡା ଜନଜାତିର ବିନି ମୁଦୁଲି ଏବଂ ଆଦିବାସୀ ସମ୍ପ୍ରଦାୟର ଶ୍ୟାମା ମାଢ଼ୀ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ନୂତନ ପିଢ଼ି ପାଇଁ ଏକ ବଡ଼ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦିଦାୟୀ ଜନଜାତି ବର୍ଗର ୨ଜଣ ପିଏଚଡି ଛାତ୍ର ଏବଂ ଜଣେ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ସୋଡୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ ଏବଂ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ପ୍ରମୁଖ ମଞ୍ଚାସୀନ ଥିଲେ।