ଭୁବନେଶ୍ଵର: ଦୁଃଖୀ ଓ ଅସହାୟଙ୍କ ପାଖରେ ପହଞ୍ଚି ସେମାନଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ ଜାରି ରଖିଛି ଓଡ଼ିଶା ‘ଓଡ଼ିଶା ମୋ ପରିବାର’ । ଜୀବନ ଜୀଇଁବା ପାଇଁ ଆଶାବାଡ଼ି ଖୋଜୁଥିବା ଭୁବନେଶ୍ୱରର ଜଣେ ଭିନ୍ନକ୍ଷମ ମହିଳାଙ୍କୁ ବଞ୍ଚିବାର ରାହା ଦେଇ ପୁଣି ଚର୍ଚ୍ଚାକୁ ଆସିଛି । ନିରନ୍ତର ଭାବେ ‘ଓଡ଼ିଶା ମୋ ପରିବାର’ର ଏଭଳି ସେବାମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରୁ ଢ଼େର୍ ପ୍ରଶଂସା ମିଳୁଛି ।
ସାଲିଆସାହି ଅଞ୍ଚଳର ୪୦ ବର୍ଷିୟା ନିତୁ ବେହେରା ବାଲ୍ୟବସ୍ଥାରୁ ଚାଲିବା ଶକ୍ତି ହରାଇ ବସିଛନ୍ତି । ତାଙ୍କର ଚାଲିବା ଓ ବୁଲିବା ପାଇଁ ସେ ସବୁବେଳେ ହ୍ଵିଲଚେୟାର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଦୁଃଖର ବିଷୟ ଯେ ସେ ଗୋଟେ ହ୍ଵିଲଚେୟାର ପାଇଁ ଅନେକ ସ୍ଵେଚ୍ଛାସେବୀ ସଂଗଠନର ଦ୍ଵାରସ୍ଥ ହୋଇ ନିରାଶ ହୋଇଥିଲେ ।
ଆଜିକୁ ୧୫ବର୍ଷ ପୂର୍ବେ ତାଙ୍କୁ ଏକ ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ଯେଉଁ ହ୍ଵିଲଚେୟାର ମିଳିଥିଲା ତାହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା, ଯଦ୍ଵାରା ସେ ନିଜର ଦୈନନ୍ଦିନ କାମ କରିବାକୁ ଅକ୍ଷମ ହୋଇପଡିଥିଲେ । ଅସହାୟ ହୋଇ ସେ ରାଜେଶ ମହାରଣା ନାମକ ଜଣେ ସମାଜସେବୀଙ୍କୁ ଗୋଟିଏ ହ୍ଵିଲଚେୟାର ଯୋଗାଇ ଦେବାପାଇଁ ଅନୁରୋଧ କରିଥିଲେ । ରାଜେଶ ତୁରନ୍ତ ଏ ସମ୍ପର୍କରେ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ରୁଦ୍ର ନାରାୟଣ ସାମନ୍ତରାୟ ଓ ସମୀର ପ୍ରଧାନଙ୍କୁ ଯୋଗାଯୋଗ କରିଥିଲେ । ଏହାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଭିନ୍ନକ୍ଷମ ନିତୁ ବେହେରାଙ୍କୁ ଏକ ହ୍ଵିଲଚେୟାର ଯୋଗାଇ ଦିଆଯାଇଥିଲା ।
ଆଗାମୀ ଦିନରେ ସେ କିପରି ସ୍ଵାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ମଧ୍ୟ ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ସମୀର ପ୍ରଧାନ ପ୍ରତିଶୃତି ଦେଇଛନ୍ତି ।