ଭୁବନେଶ୍ୱର: ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଉ ଏକ ଐତିହାସିକ ନିଷ୍ପତ୍ତି । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଅତି କମ୍ ରେ ୨୭% ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରାଯାଇଛି । ଗତ ସାଧାରଣ ନିର୍ବାଚନରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ନବୀନ, ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗ କାର୍ଡ ଖେଳି ବିରୋଧୀଙ୍କୁ ଚକିତ୍ କରିଛନ୍ତି ।
ବିଜେଡ଼ି ସଭାପତିଙ୍କ ଏହି ନିଷ୍ପତ୍ତିକୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି ବରିଷ୍ଠ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । କେବଳ ପଞ୍ଚାୟତ ନିର୍ବାଚନ ନୁହେଁ ପରବର୍ତ୍ତୀ ନିର୍ବାଚନରେ ମଧ୍ୟ ବିଜେଡି ୨୭% ପଛୁଆବର୍ଗ ପ୍ରାର୍ଥୀ ଦେବ । ଅଦାଲତ କଟକଣା, କେନ୍ଦ୍ରୀୟ ଆଇନ୍ ନଥିବାରୁ ଏଭଳି ରାଜନୈତିକ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ଦଳଗୁଡିକ ମଧ୍ୟ ଏପରି ଘୋଷଣା ପାଇଁ ବିଜେଡି କହିବା ସହିତ ବିଧାନସଭା ଓ ଲୋକସଭାରେ ୩୩% ମହିଳାଙ୍କୁ ପ୍ରାର୍ଥୀ କରିବାକୁ ଆହ୍ୱାନ ଦେଇଛି ।
ସାାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷାଗତ ପଛୁଆବର୍ଗଙ୍କ ସଠିକ୍ ପରିସଂଖ୍ୟାନ ଅଭାବରୁ ସର୍ବୋଚ୍ଚ ନ୍ୟାୟାଳୟ ସଂରକ୍ଷଣ ସୀମାକୁ ୫୦% ମଧ୍ୟରେ ସିମୀତ ରଖିବା ପାଇଁ ବାଧ୍ୟ କରୁଛନ୍ତି । ତେଣୁ ପଛୁଆବର୍ଗଙ୍କର ସଂଖ୍ୟାର ସଠିକ୍ ଆକଳନ ପାଇଁ ଜାତିଭିତ୍ତିକ ଜନଗଣନା କରାଗଲେ ତାହାକୁ ଭିତ୍ତିକରି ୫୦%ରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ନ୍ୟାୟାଳୟମାନେ କୌଣସି ଅଙ୍କୁଶ ଲଗାଇ ପାରିବେ ନାହିଁ ।
ସଂରକ୍ଷଣ ସୀମା ୫୦% ସିମୀତ ଥିବା ଏବଂ ଆମ ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପ୍ରାୟ ୩୯% ଥିବାରୁ ପଛୁଆବର୍ଗଙ୍କୁ ମାତ୍ର ୧୧.୨୫ ପ୍ରତିଶତ ସଂରକ୍ଷଣ ମିଳୁଛି । ରାଜ୍ୟ ସରକାରଙ୍କ ପଛୁଆବର୍ଗ ଆଇନ୍ ୨୦୦୮ରେ ସାମାଜିକ ଏବଂ ଶିକ୍ଷାଗତ ଅନଗ୍ରସର ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥା ରହିଛି । କିନ୍ତୁ, ବିଭିନ୍ନ ନ୍ୟାୟାଳୟର ଆଦେଶ ଦୃଷ୍ଟିରୁ ଉକ୍ତ ୨୭% ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁ ନାହିଁ ।
ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଓବିସି ତାଲିକା ଅନୁସାରେ ସରକାରୀ •କିରୀ ଓ ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି । ରାଜ୍ୟଗୁଡିକ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ତାଲିକା ପ୍ରସ୍ତୁତି କରୁଥିଲେ ଏବଂ ଏବେ ମଧ୍ୟ କରିପାରିବେ । କେନ୍ଦ୍ରର ଓବିସି ତାଲିକା ଅନୁସାରେ ଅନ୍ୟାନ୍ୟ ପଛୁଆ ବର୍ଗର ପ୍ରାର୍ଥୀମାନେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀ ଏବଂ ଶିକ୍ଷାନୁଷ୍ଠାନମାନଙ୍କରେ ନାମ ଲେଖାଇବାକୁ ସଂରକ୍ଷଣର ସୁବିଧା ପାଉଛନ୍ତି । ସେହିପରି ରାଜ୍ୟର ପଛୁଆବର୍ଗ ତାଲିକା ଅନୁସାରେ ସାମାଜିକ ଏବଂ ଶିକ୍ଷାଗତ ପଛୁଆ ବର୍ଗର ପ୍ରାର୍ଥୀମାନେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସରକାରୀ ଚାକିରୀରେ ସଂରକ୍ଷଣର ସୁବିଧା ପାଉଛନ୍ତି । ଏ ପର୍ଯ୍ୟନ୍ତ ରାଜ୍ୟର ୨୦୯ ଜାତି ଓ ଉପଜାତି ପଛୁଆବର୍ଗ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ।
ବିଜେପି, କଂଗ୍ରେସର ସମାଲୋଚନା: ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କ ପାଇଁ ବିଜେଡ଼ିର ୨୭% ସ୍ଥାନ ସଂରକ୍ଷଣ ନିଷ୍ପତ୍ତିକୁ ଭେଳିକି ବୋଲି ବିଜେପି ଓ କଂଗ୍ରେସ କହିଛନ୍ତି । ଶିକ୍ଷା ଓ ଚାକିରି କ୍ଷେତ୍ରରେ ରାଜ୍ୟ ସରକାର ପଛୁଆ ବର୍ଗଙ୍କୁ ଆଗ ଚାକିରି ଦିଅନ୍ତୁ ବୋଲି ସେମାନେ କହିଛନ୍ତି ।