ନୂଆଦିଲ୍ଲୀ/ଭୁବନେଶ୍ୱର: ଚାରିଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି । ମଧ୍ୟପ୍ରଦେଶରେ ବିଜେପି ବିପୁଳ ସଫଳତା ପାଇ ପୁନର୍ବାର କ୍ଷମତାକୁ ଫେରିବା ସହ କଂଗ୍ରେସ ହାତରୁ ରାଜସ୍ଥାନ ଓ ଛତିଶଗଡ଼କୁ ଛଡ଼ାଇ ଆଣିଛି । ଏଥିସହ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟଗୁଡ଼ିକରେ ବିଜେପି ନିଜର ପ୍ରଭାବ ଆହୁରି ବିସ୍ତାର କରିଛି । କଂଗ୍ରେସକୁ କେବଳ ତେଲେଙ୍ଗାନାରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । କେସିଆରଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତି(ବିଆରଏସ)କୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରି କଂଗ୍ରେସ ଉପରେ ଆସ୍ଥା ରଖିଛନ୍ତି ।
ଦିନ ୧୨ଟା ସୁଦ୍ଧା ମିଳିଥିବା ଫଳାଫଳ ଅନୁଯାୟୀ
୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପିକୁ ବିପୁଳ ସଫଳତା ମିଳିଛି । ବିଜେପିି ୧୫୬ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୯ ଆସନରେ ଆଗୁଆ ଅଛି । ସ୍ୱାଧୀନ ପ୍ରାର୍ଥୀମାନେ ୫ ଟି ଆସନରେ ଆଗୁଆ ଅଛନ୍ତି । ଚତୁର୍ଥ ଥର ପାଇଁ ଶିବରାଜ ସିଂ ଚୌହାନ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ।
୧୯୯ ବିଧାନସଭା ଆସନ ବିଶିଷ୍ଟ ରାଜସ୍ଥାନରେ ବିଜେପି ୧୧୪ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୬୫ ଆସନରେ ଆଗୁଆ ରହିଛି । ସ୍ୱାଧୀନ ଓ ଅନ୍ୟ ଦଳର ପ୍ରାର୍ଥୀ ୨୦ ଟି ଆସନରେ ଆଗୁଆ ଅଛନ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍ ଓ ସଚିନ ପାଇଲଟ୍ ଙ୍କ ମଧ୍ୟରେ ଲାଗି ରହିଥିବା କନ୍ଦଳ କଂଗ୍ରେସକୁ ମହଙ୍ଗା ପଡ଼ିଛି ।
୧୧୯ ବିଧାନସଭା ଆସନ ବିଶିଷ୍ଟ ତେଲେଙ୍ଗାନା ରାଜ୍ୟ କଂଗ୍ରେସ ହାତକୁ ଆସିଛି । ଏଠାରେ କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ଭାରତ ରାଷ୍ଟ୍ର ସମିତିକୁ ରାଜ୍ୟବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । କଂଗ୍ରେସ ୬୯ ଆସନରେ ଆଗୁଆ ଥିବା ବେଳେ ବିଆରଏସ୍ ୩୮ ଆସନରେ ଆଗୁଆ ରହିଛି । ବିଜେପି ୮ଟି ଆସନରେ ଆଗୁଆ ଅଛି । ସ୍ୱାଧୀନ ପ୍ରାର୍ଥୀମାନେ ୬ ଟି ଆସନରେ ଆଗୁଆ ଅଛନ୍ତି ।
୯୦ ବିଧାନସଭା ଆସନ ବିଶିଷ୍ଟ ଛତିଶଗଡ଼ରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ତେବେ ବିଜେପିକୁ ଶେଷରେ ଜିତାପଟ ମିଳିଛି । ପ୍ରଥମରୁ କଂଗ୍ରେସ ଆଗରେ ରହି ଦ୍ୱିତୀୟବାର କ୍ଷମତାକୁ ଆସିବାର ଆଶା ଦେଖାଇଥିଲେ ମଧ୍ୟ ବିଜେପିଠୁ ମାତ୍ ଖାଇଯାଇଛି । ବିଜେପି ୫୧ ଆସନରେ ଆଗୁଆ ଥିବା ବେଳେ କଂଗ୍ରେସ ୩୬ ଆସନରେ ଆଗୁଆ ରହିଛି । ୩ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ଆଗରେ ଅଛନ୍ତି ।