ଭୁୁବନେଶ୍ୱର: ବିଜେପିକୁ ଯାଇ ଏମଏଲଏ ଟିକେଟ୍ ହାତେଇବା ପାଇଁ ବ୍ୟାକୁଳ ବିଜେଡିର ୫ ଜଣ ଉପକୂଳିଆ ନେତାଙ୍କୁ ଦିଲ୍ଲୀରେ ଭାଣ୍ଡିଆ ହେବାକୁ ପଡ଼ିଛି । ବିଜେପି ରାଜ୍ୟ ନେତାଙ୍କ ଇସାରାରେ ସେମାନେ ଲୁଚାଛପାରେ ହାଇକମାଣ୍ଡଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ । ଜେପି ନଡ୍ଡା ଏବଂ ଅମିତ୍ ଶାହଙ୍କ ସହ ଆଲୋଚନା ହୋଇସାରିଛି ବୋଲି ସେମାନଙ୍କୁ କୁହାଯାଇଥିଲା । ମାତ୍ର ସଂପୃକ୍ତ ବିଜେଡି ନେତାମାନେ ଦିଲ୍ଲୀରେ ସେମାନଙ୍କୁ ଭେଟିବା ତ ଦୂରର କଥା, ଚାରି ଦିନ ଚକ୍କର କାଟିବା ପରେ ମଧ୍ୟ ଥଳକୂଳ ନ ପାଇ ଫେରି ଆସିଛନ୍ତି । ଏହି ଘଟଣାଟି ବିଜେପି-ବିଜେଡି ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରୁ ଭାଣ୍ଡିଆ ହୋଇ ଫେରିଥିବା ଏହି ୫ ଜଣିଆ ଉପକୂଳିଆ ନେତା/ନେତ୍ରୀଙ୍କ ମଧ୍ୟରେ ବିଜେଡିର ଦୁଇଜଣ ବିଧାୟକ ଅଛନ୍ତି । ଏଥର ବିଜେଡି ଟିକେଟ ପାଇବା ଆଶା ନ ଥିବାରୁ ସେମାନେ ବିଜେପିକୁ ଯାଇ ଟିକେଟ ପାଇବା ଯୋଜନାରେ ଅଛନ୍ତି । ଅନ୍ୟ ୩ ଜଣ ନେତା ନିଜ ନିଜ ଅଞ୍ଚଳରେ ବିଧାୟକ ଆଶାୟୀ ଥିବାରୁ ଏହି ଦୁଇ ବିଧାୟକଙ୍କ ଭରସାରେ ଆଗକୁ ବଢ଼ୁଛନ୍ତି । ବିଜେପିରେ ମିଶିଲେ ଅଲବତ୍ ଟିକେଟ ମିଳିଯିବ ବୋଲି ସେମାନେ ପରଷ୍ପର ଭିତରେ ବୁଝାବୁଝି ହୋଇଛନ୍ତି ।
ଏହି କ୍ରମରେ ସେମାନେ ରାଜ୍ୟ ବିଜେପିର ଜଣେ ଶୀର୍ଷ ନେତା ଏବଂ ଜଣେ ପ୍ରଭାବଶାଳୀ ସାଂସଦଙ୍କ ସହ ଭିତିରି ଯୋଗସୂତ୍ର ରଖିଥିଲେ । ବିଜେପିରେ ଯୋଗଦେବାକୁ ସେମାନଙ୍କର ଇଚ୍ଛା ପ୍ରକାଶ କରି କଥା ଆଗକୁ ବଢ଼ାଇବାକୁ ଅନୁରୋଧ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସେମାନଙ୍କର ଟିକେଟ ଲୋଭ ଜାଣିବା ପରେ ରାଜ୍ୟ ବିଜେପିର ଏହି ଦୁଇ ପ୍ରଭାବାଶାଳୀ ସେମାନଙ୍କୁ ଦିଲ୍ଲୀ ଠିକଣା ଦେଇଥିଲେ । ଦଳର ରାଷ୍ଟ୍ରୀୟ ସଭାପତି ନଡ୍ଡାଜୀ ଏବଂ ଗୃହମନ୍ତ୍ରୀ ଅମିତ୍ ଶାହାଜୀଙ୍କ ସହ ଆମେ କଥା ହୋଇସାରିଛୁ ଏବଂ ଆପଣମାନେ ତାଙ୍କ ଆଶୀର୍ବାଦ ନେଇ ଆସନ୍ତୁ କହି ଦିଲ୍ଲୀ ପଠାଇ ଦେଇଥିଲେ ।
ସେହି ଅନୁଯାୟୀ, ବିଜେଡିର ଏହି ୫ ନେତା ଗତ ସପ୍ତାହରେ ଦିଲ୍ଲୀ ଯାଇଥିଲେ । ନଡ୍ଡା ଏବଂ ଶାହଙ୍କୁ ଭେଟିବାକୁ ଲାଇନ୍ ଲଗାଇଲେ । ମାତ୍ର ୪ ଦିନ କାଳ ଅପେକ୍ଷା କରିବା ପରେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡ଼ିଲା । ତାଙ୍କୁ ଦିଲ୍ଲୀ ପଠାଇଥିବା ରାଜ୍ୟ ନେତାଙ୍କୁ ଏହା ଜଣାଇବା ପାଇଁ ଫୋନ୍ କରିଥିଲେ ମଧ୍ୟ ସେମାନେ ଆଉ ଫୋନ୍ ଉଠାଇଲେ ନାହିଁ । ଫଳରେ କାନମୁଣ୍ଡା ଆଉଁଷି ସେମାନେ ଫେରିଆସିଛନ୍ତି ।
ସୂଚନାଥାଉକି, ବିଜେପିମୁହାଁ ନିର୍ଦ୍ଦିଷ୍ଟ ବିଜେଡି ବିଧାୟକଙ୍କର ବିଜେପି ସହ ପୁରୁଣା ସମ୍ପର୍କ ରହିଛି । ଏଥର ତାଙ୍କୁ ଟିକେଟ୍ ମିଳିବ ବୋଲି ତାଙ୍କର ଆଶା ନାହିଁ । କାରଣ ଜନମତ ତାଙ୍କ ବିପକ୍ଷରେ ରହିଥିବା ସେ ନିଶ୍ଚିତ ଅଛନ୍ତି । ତେଣୁ ପୁରୁଣା ସମ୍ପର୍କକୁ ଫେରି ବିଜେପିରୁ ଟିକେଟ ପାଇବାକୁ ସେ ପ୍ରବଳ ଆଶା ରଖିଛନ୍ତି । ତାଙ୍କର ବିଜେପି କନେକ୍ସନ୍ ଜାଣି ଅନ୍ୟ ବିଧାୟକ ଏବଂ ତିନି ନେତା ଯୋଡି ହୋଇଥିଲେ । ମାତ୍ର ଦିଲ୍ଲୀ ଯାତ୍ରା ସେମାନଙ୍କୁ ନିରାଶ କରିଛି । ଏକଥା ପ୍ରଘଟ ହୋଇଗଲେ ବିଜେଡିରୁ ବି ପତ୍ତା କଟିଯିବା ଭୟ ସେମାନଙ୍କୁ ଆଚ୍ଛନ୍ନ କରିଥିଲା ବେଳେ ଧୀରେ ଧୀରେ କଥା ଦାଣ୍ଡରେ ପଡ଼ିବାକୁ ଲାଗିଲାଣି ।