ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟରରେ ଆଜି ହୋଇଥିବା ଆତଙ୍କବାଦୀ ହମଲାରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ । ସଂଧ୍ୟାରେ ସେନା ପକ୍ଷରୁ ଏହି ଖବର ଦେବାଶିଷଙ୍କ ଘରକୁ ଆସିଲା ପରେ ସମଗ୍ର ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସହିଦ ଦେବାଶିଷ ରାଷ୍ଟ୍ରୀୟ ରାଇଫଲ୍ସର ଯବାନ ଭାବେ କାର୍ଯ୍ୟ କରୁଥିଲେ । ଆଜି ଦେବାଶିଷ ୪ ଜଣ ସାଥୀ ଯବାନଙ୍କ ସହ ଆର୍ମି ଗାଡ଼ିରେ ପୁଞ୍ଚ ଜିଲ୍ଲାର ଭିମ୍ବର ଗଳିରୁ ସାଙ୍ଗିଓଟ୍ ଯାଉଥିବା ବେଳେ ପ୍ରବଳ ବର୍ଷା ଓ ଅନ୍ଧାରର ସୁଯୋଗ ନେଇ ଆତଙ୍କବାଦୀମାନେ ଗାଡ଼ି ଉପରକୁ ଗ୍ରେନେଡ୍ ମାଡ଼ କରିଥିଲେ । ଏଥିରେ ଆର୍ମି ଗାଡ଼ିରେ ନିଆଁ ଲାଗି ୫ ଜଣ ଯାକ ଯବାନ ସହିଦ ହୋଇଯାଇଥିଲେ ।

ଦେବାଶିଷଙ୍କ ଘର ହେଉଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ୍ ଅନ୍ତର୍ଗତ ଅଳଗୁମ ଗ୍ରାମ ଖଣ୍ଡାୟତ ସାହିରେ । ତାଙ୍କ ବାପାଙ୍କ ନାଁ ପ୍ରତାପ ବିଶ୍ୱାଳ ଏବଂ ମା’ ଙ୍କ ନାଁ ମମତା ବିଶ୍ୱାଳ । ଗତ ୨୦୨୧ ଅକ୍ଷୟ ତୃତୀୟାରେ ସେ ବିବାହ କରିଥିଲେ । ତାଙ୍କର ୭ ମାସର ଏକ କନ୍ୟା ସନ୍ତାନ ଅଛି । ଆସନ୍ତା ୨୩ ତାରିଖରେ ସେ ଦ୍ୱିତୀୟ ବିବାହ ବାର୍ଷିକୀ ପାଳନ କରିଥାନ୍ତେ । ଏହି ଦୁଃଖଦ ଖବର ଅଞ୍ଚଳବାସୀଙ୍କୁ ମ୍ରିୟମାଣ କରିଦେଇଛି ।







