ଭୁବନେଶ୍ୱର: ଓଡ଼ିଶା ପାଇଁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ଵପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକ ସେବା ଭବନରେ ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଆଲୋଚନା କରି ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ଏକା ଥରକେ ୧୫ ହଜାର କୋଟି ଟଙ୍କାର ୬ ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଆମେ ସମସ୍ତେ ବହୁତ୍ ଖୁସି। ସାରା ଓଡ଼ିଶାବାସୀ ଖୁସି। ଏହାଦ୍ୱାରା ଓଡ଼ିଶାରେ ରେଳ ଭିତ୍ତିଭୂମି ସୁଦୃଢ଼ ହେବା ସହିତ ସଂପୃକ୍ତ ଜିଲ୍ଲା ମାନଙ୍କର ଆର୍ଥିକ ବିକାଶ କ୍ଷେତ୍ରରେ ସହାୟକ ହେବ। ଏହା ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ । ଏଥିପାଇଁ ସାରା ଓଡ଼ିଶା ବାସୀ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦିଲ୍ଲୀ ଗସ୍ତ ସମୟରେ ଆପଣ ( ରେଳ ମନ୍ତ୍ରୀ ) ମୋତେ ମାତ୍ର ୫ ମିନିଟ ପାଇଁ ଚା ପିଇବାକୁ ଡାକିଥିଲେ। ମାତ୍ର ୫ ମିନିଟର ଚା ପିଇବାରେ ଆପଣ ଓଡ଼ିଶାକୁ ୬ଟି ପ୍ରକଳ୍ପ ଦେଇଦେଲେ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ରେଳ ପ୍ରକଳ୍ପ କାର୍ଯ୍ୟନ୍ୱୟନ ସମୟରେ ଜମି ଅଧିଗ୍ରହଣ ଏକ ମୁଖ୍ୟ ସମସ୍ୟା ହୋଇଥାଏ। ସେଥିପାଇଁ ପ୍ରକଳ୍ପର ତ୍ୱରିତ କାର୍ଯ୍ୟନ୍ଵୟନ୍ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ ସହିତ ଅନ୍ୟାନ୍ୟ ସମସ୍ତ ସହଯୋଗ ଯୋଗାଇ ଦେବେ ।
ରେଳମନ୍ତ୍ରୀ ଶ୍ରୀ ମଞ୍ଜୁର ହୋଇଥିବା ସମସ୍ତ ପ୍ରକଳ୍ପ ଉପରେ ସୂଚନା ଦେଇ ଏହା କିପରି ଓଡ଼ିଶାର ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ପ୍ରାନ୍ତକୁ ଯୋଡ଼ିବାରେ ସଫଳ ହେବ ସେ ବିଷୟରେ ସୂଚନା ଦେଇଥିଲେ। ଏକା ଥରକେ ୬ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ ମଞ୍ଜୁର ହେବ ଏକ ଐତିହାସିକ ପଦକ୍ଷେପ ବୋଲି ସେ ମତ ଦେଇଥିଲେ।
ସେ କହିଥିଲେ ଯେ ପୂର୍ବରୁ ବର୍ଷକୁ ମାତ୍ର ୪୦ କିଲୋମିଟର ରେଳ ଲାଇନ ନିର୍ମାଣ ହେଉଥିବା ବେଳେ ଏବେ ବିଗତ ୧୦ ବର୍ଷରେ ପ୍ରତିବର୍ଷ ୩୦୦ କିଲୋମିଟରରୁ ଅଧିକ ରେଳ ପଥ ନିର୍ମାଣ ହେଉଛି। ରାଜ୍ୟ ସରକାରଙ୍କ ସହିତ ମିଳିତ ଭାବେ ଉପଯୁକ୍ତ monitoring କରାଯାଇ ନୂଆ ପ୍ରକଳ୍ପ ଗୁଡ଼ିକୁ ଠିକ୍ ସମୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ସାଂସଦ ମାନେ ମଧ୍ୟ ଭିଡିଓ କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କଳାହାଣ୍ଡି ସାଂସଦ ଶ୍ରୀମତୀ ମାଳବିକା ଦେଓ ଓ କେନ୍ଦୁଝର ସାଂସଦ ଅନନ୍ତ ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ୍ ଦେଇଥିଲେ। ସେମାନେ କହିଥିଲେ ଯେ ଏହା ଦ୍ୱାରା ସେମାନଙ୍କ ଅଞ୍ଚଳରେ ରେଳ ପଥର ବିକାଶ ହେବା ସହିତ ସାରା ଭାରତ ବର୍ଷ ସହିତ ଯୋଗାଯୋଗ ସୁଦୃଢ଼ ହେବ।
ଏହି କର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ବାଣିଜ୍ୟ ଓ ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ଉପସ୍ଥିତ ଥିଲେ।