ଭୁବନେଶ୍ୱର: ନୂଆପଡ଼ାରେ ସଂଧ୍ୟା ୫ଟା ସୁଦ୍ଧା ୭୫.୩୭ % ମତଦାନ ହୋଇଛି । ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାର ସହ ଉପନିର୍ବାଚନ ଶେଷ ହୋଇଛି । କୌଣସି ଜାଗାରୁ ହିଂସାକାଣ୍ଡ କି ଗଣ୍ଡଗୋଳ ଖବର ଆସିନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।
ଭୋଟ ଦେବାକୁ ଆଜି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ବିଭିନ୍ନ ବୁଥ୍ ରେ ଭୋଟରମାନେ ଧାଡ଼ି ଲଗାଇଥିଲେ । ମହିଳା ଓ ବୟସ୍କଙ୍କ ମଧ୍ୟରେ ଭୋଟ ଦେବାକୁ ବେଶୀ ଆଗ୍ରହ ଥିଲା । ସକାଳ ୫ଟାରେ ପ୍ରଥମେ ମକ୍ ପୋଲ୍ ହୋଇଥିଲା । ଏହି ସମୟରେ ତିନୋଟି ଇଭିଏମ୍ ରେ ତ୍ରୁଟି ଦେଖାଦେବାରୁ ତାକୁ ପରିବର୍ତ୍ତନ କରାଯାଇଥିଲା । ଭୋଟ ସମୟରେ ଗୋଟିଏ ବୁଥ୍ ରେ ଇଭିଏମ୍ ରେ ତ୍ରୁଟି ଦେଖାଦେବାରୁ ତାହାକୁ ବଦଳାଯାଇଥିଲା ।
ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ ୩୫୮ ଟି ବୁଥ୍ ମଧ୍ୟରୁ ଚିହ୍ନଟ ୪୭ଟି ସମ୍ବେଦନଶୀଳ ଏବଂ ୮ ଟି ଅତି ସମ୍ବେଦନଶୀଳ ବୁଥ୍ ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁନାବେଡ଼ା ଅଭୟାରଣ୍ୟ ମାଓ ଇଲାକାରେ ଥିବା ଅତି ସମ୍ବେଦନଶୀଳ ୮ଟି ବୁଥ୍ କୁ ପୋଲିଂ କର୍ମଚାରୀମାନଙ୍କୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ନବା ଆଣିବା କରାଯାଇଥିଲା । ଅପରାହ୍ନ ୪ଟାରେ ସେଠାରେ ମତଦାନ ଶେଷ ହୋଇଥିଲା । ମତଦାନ ହାର ରହିଛି ୭୫% ।
ଭୋଟ୍ ଗୋପନୀୟତା ଉଲ୍ଲଂଘନ କରିଥିବାରୁ କୁଳିଆବନ୍ଧ ୩୬ ନମ୍ବର ବୁଥ୍ ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ତାଙ୍କ ବିରୋଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଛନ୍ତି ।
ନୂଆପଡ଼ା ଉପନିର୍ବାଚନରେ ୧୪ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିଲା । ଆସନ୍ତା ୧୪ ତାରିଖରେ ଭୋଟଗଣତି ହୋଇ ଫଳ ପ୍ରକାଶ ପାଇବ ।