ଭୁୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଆଜି ପ୍ରଥମ ଦିନରେ ସର୍ବମୋଟ ୮,୭୨୨ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ରାଜ୍ୟ ନିର୍ବାଚନ କମିସନଙ୍କ ଅଫିସ ପକ୍ଷରୁ କୁହାଯାଇଛି ।
ଜିଲ୍ଲା ପରିଷଦ ପାଇଁ ୨୨ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ସମିତି ସଭ୍ୟ ପାଇଁ ୫୧୨, ସରପଞ୍ଚ ୧,୧୨୨ ଏବଂ ୱାର୍ଡ ସଭ୍ୟ ପାଇଁ ୭,୧୧୬ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ଆଜି ପ୍ରାର୍ଥୀପତ୍ର ଦାଖଲ ବେଳେ କିଛି ସ୍ଥାନରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ବିଭିନ୍ନ ଦଳରେ ପ୍ରାର୍ଥୀତ୍ୱକୁ ନେଇ ଛକାପଂଝା ଯୋଗୁଁ ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିଥିଲା ।
ଶାସନଗାଦିରେ ଥିବା ବିଜେଡ଼ିରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ କିଛି ଜାଗାରେ ଅନ୍ତଃକନ୍ଦଳ ଦେଖିବାକୁ ମିଳୁଛି । ଖାସ୍ କରି ସରପଞ୍ଚ ପ୍ରାର୍ଥୀ ପାଇଁ ଗାଁ ଗାଁରେ ବିଭିନ୍ନ ଗୋଷ୍ଠୀ ଛକାପଂଝାରେ ଅଛନ୍ତି । ଏହାସତ୍ତ୍ୱେ ସମସ୍ତଙ୍କୁ ମନାଇ ନିର୍ବାଚନ ବୈତରଣୀ ପାର୍ ହେବାକୁ ବିଜେଡ଼ି ନେତାମାନେ ଆଶା ବାନ୍ଧିଛନ୍ତି । ବିଜେଡ଼ି ଗତଥରଠାରୁ ବହୁତ ଭଲ ରେଜଲ୍ଟ କରିବ ବୋଲି ଦଳୀୟ ନେତାମାନେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ସେପଟେ ବିଜେପି ଗତଥର ନିର୍ବାଚନ ଅଙ୍କକୁ ଧରି ଅଧିକ ଆଶା ଜୁଟାଇଛି । ଜିଲ୍ଲା ପରିଷଦରେ ଦଳ ୫୦୦ରୁ ଅଧିକ ସିଟ୍ ରେ ଜିତିବ ବୋଲି ଦଳର ବରିଷ୍ଠ ନେତାମାନେ ଦମ୍ଭ ଦେଖାଇଛନ୍ତି ।
ବିଜୟ ସମ୍ଭାବନା ରେସ୍ ରେ କଂଗ୍ରେସ ବି ପଛରେ ପଡ଼ିନାହିଁ । ଦଳ ଏଥର ବହୁତ ଭଲ ରେଜଲ୍ଟ କରିବ ବୋଲି ନେତାମାନେ ବିବୃତି ଦେଉଛନ୍ତି ।
ସୂଚନାଥାଉକି. ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେଡ଼ିକୁ ଆଶାତୀତ ସଫଳତା ମିଳି ନ ଥିଲା । ୮୫୩ ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ପାଇଥିଲା ୪୭୬ ଆସନ । ବିଜେପି ୨୯୭ ଏବଂ କଂଗ୍ରେସକୁ ମିଳିଥିଲା ୬୦ ଆସନ ।