ଭୁୁବନେଶ୍ୱର: ଦେଶର ଦ୍ୱିତୀୟ ରାଜ୍ୟ ଭାବେ ଓଡ଼ିଶା ବିଧାନସଭାରେ ଏଥର ଆସିଛି ଇ-ବଜେଟ୍ ବା ପେପରଲେସ୍ ବଜେଟ୍ । ସୁଟକେସ୍ ଏବଂ ଶହ ଶହ ପେପର୍ ର ସ୍ଥାନ ନେଇଛି ଗୋଟିଏ ପେନ୍ ଡ୍ରାଇଭ୍ । ଛାପା କାଗଜରୁ ବଜେଟ୍ ପଢ଼ିବା ବଦଳରେ ଅର୍ଥମନ୍ତ୍ରୀ ଆଇ ପ୍ୟାଡ୍ ରୁ ବଜେଟ୍ ଭାଷଣ ପଢ଼ିଛନ୍ତି । ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ବଜେଟ୍ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଅଣାଯାଇଛି । ଏଥିଯୋଗୁଁ ବଜେଟ୍ ବହି ଛାପା ପାଇଁ ୭୫ ଲକ୍ଷ ପୃଷ୍ଠାର କାଗଜ ଆବଶ୍ୟକ ପଡ଼ିନି । ଯାହା ଏକ ହଜାର ବଡ଼ ଗଛକୁ ବଞ୍ଚେଇ ଦେଇଛି । ଅନ୍ୟ ଅର୍ଥରେ ଏହାକୁ ଗ୍ରୀନ୍ ବଜେଟ୍ ବୋଲି କୁହାଯାଉଛି ।
ବଜେଟ୍ ର ଏହି ନୂତନ ଢ଼ାଞ୍ଚା ପରିବେଶ ଅନୁକୂଳ ହେବା ସହ ଅନେକ କ୍ଷେତ୍ରରେ ଓଡ଼ିଶାକୁ ଦେଶର ପ୍ରଥମ ରାଜ୍ୟର ମାନ୍ୟତା ଆଣିଦେଇଛି । ନ୍ୟୁଟ୍ରିସନ୍ ବଜେଟ୍ ଦସ୍ତାବିଜ୍ ଓ ଜଳବାୟୁ ବଜେଟ୍ ଦସ୍ତାବିଜ୍ ଆରମ୍ଭ କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ହୋଇଛି । ସର୍ବୋପରି ବଜେଟ୍ ର ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଷ୍ଟ୍ରାଟେଜିକ୍ ବଜେଟିଂ ପ୍ରକ୍ରିୟାର ପ୍ରବର୍ତ୍ତନ ହୋଇଛି ।
ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଇ-ପ୍ୟାଡ୍ ରୁ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ସବୁ ବିଧାୟକଙ୍କୁ ମଧ୍ୟ ଆଇ-ପ୍ୟାଡ୍ ଯୋଗାଇ ଦିଆଯାଇଥିଲା । ଅବଶ୍ୟ କାଁ ଭାଁ ବିଧାୟକଙ୍କୁ ଛାଡ଼ିଦେଲେ କେହି ଏହାର ବ୍ୟବହାର କରିନଥିଲେ । ଆଇ-ପ୍ୟାଡ୍ ସହିତ ସେମାନେ ପରିଚିତ ନଥିବାରୁ ସମସ୍ୟା ହେଲା ବୋଲି କିଛି ବିଧାୟକ କହିଛନ୍ତି ।
ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ଏକ ସୁଟକେସ୍ ରେ ବଜେଟ୍ ଦସ୍ତାବିଜ୍ ଧରି ବିଧାନସଭାରେ ଉପସ୍ଥାପନ କରିବା ଏକ ବିଧି ହୋଇ ରହିଥିଲା । ସବୁ ବିଧାୟକମାନଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ନୂଆ ସୁଟକେସ୍ ଉପହାର ସୂତ୍ରରେ ମିଳୁଥିଲା । ମାତ୍ର ଏଥର ପେପରଲେସ୍ ବଜେଟ୍ ହୋଇଥିବାରୁ ସୁଟକେସ୍ ର ଆବଶ୍ୟକ ପଡ଼ିନି । ସବୁ ବିଧାୟକଙ୍କୁ ଉପହାର ସୂତ୍ରରେ ମିଳିଛି ଆଇ-ପ୍ୟାଡ୍ ଏବଂ ପେନ୍ ଡ୍ରାଇଭ୍ । ତେବେ ବିଧାୟକମାନେ ଏହାକୁ ସତରେ ବ୍ୟବହାର କରୁଛନ୍ତି ନା ପୂର୍ବରୁ କମ୍ପୁ୍ୟଟର ଭଳି ଖତ କରୁଛନ୍ତି ତାହା ଦେଖିବାର କଥା ।
ହାତପାଆନ୍ତାରେ ବଜେଟ୍ ଦସ୍ତାବିଜ୍ ପାଇବା ପାଇଁ ସ୍ୱତନ୍ତ୍ର ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି । Google Play Store ଏବଂ Apple App Store ରେ ଏହା ଉପଲବ୍ଧ । ଆଜି ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ବଜେଟ୍ ୨୪ ଘଣ୍ଟା ପରେ ମୋବାଇଲ୍ ଆପ୍ ରୁ ମିଳିପାରିବ । ବଜେଟ୍ ମୋବାଇଲ୍ ଆପ୍ କୁ ସହଜରେ ଉପଲବ୍ଧ କରିବାକୁ QR code ବ୍ୟବସ୍ଥା କରାଯାଇଛି । Disclosure standard ର ଉନ୍ନତି ଆଣିବା ପାଇଁ ବଜେଟ୍ ସୂଚନାକୁ excel format ରେ ଉପଲବ୍ଧ କରାଯାଇଛି ।
ଏମିତିରେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଦସ୍ତାବିଜ୍ ଅର୍ଥ ବିଭାଗର ୱେବସାଇଟ୍ https://finance.odisha.gov.in ଏବଂ ବଜେଟ୍ ୱେବସାଇଟ୍ http://budget.odisha.gov.in ରୁ ମିଳିପାରିବ । ଅତ୍ୟାଧୁନିକ ୱେବ ଆପ୍ଲିକେସନ୍ odishabudget.in ରୁ ବଜେଟ୍ ଦସ୍ତାବିଜ୍ ତୁରନ୍ତ ଡାଉନଲୋଡ଼୍ କରି ଭବିଷ୍ୟତ ପାଇଁ ପେନ୍ ଡ୍ରାଇଭ୍ ରେ ରଖିପାରିବେ ।