ଭୁବନେଶ୍ୱର: ସତ୍ୟନଗର ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି । ଆଜି ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଛି । ସତ୍ୟନଗର ଅଞ୍ଚଳରୁ ନଗଦ ଏକାଧିକ ଆକ୍ରାନ୍ତ ଠାବ ହୋଇଥିବା ଏବଂ ସେମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରିରେ ବିଦେଶ ଓ ଅନ୍ୟ ରାଜ୍ୟ ଗସ୍ତ ନ ଥିବାରୁ ସଂକ୍ରମଣ ସମ୍ଭାବନା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଥିବା ବିଏମସି ନିର୍ଦ୍ଦେଶାନାମାରେ କୁହାଯାଇଛି ।
ସତ୍ୟନଗର ଛକରୁ କାଳୀ ମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର ଛକ, ପତଞ୍ଜଳି ଷ୍ଟୋର ଛକରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସ ଛକ, ଅଫିସର୍ସ କ୍ୱାର୍ଟର୍ସ ଛକରୁ ବିଗ ବଜାର ଛକ, ସତ୍ୟନଗରରୁ ବିଗ୍ ବଜାର ଦକ୍ଷିଣ ପଟ ରାସ୍ତା, ପିଡବ୍ଲୁଡି ଡିଭିଜନ୍-୩ ଅଫିସ ଓ କ୍ୱାର୍ଟର୍ସ ପରିସର ଅଞ୍ଚଳକୁ କ୍ୟାଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ସଂପୃକ୍ତ ଅଞ୍ଚଳର ଲୋକଙ୍କୁ ଘରୁ ବାହାରିବା ପାଇଁ ମନା କରାଯାଇଛି । ଅର୍ଥାତ୍ କେହି ବାହାରକୁ ଯାଇପାରିବେନି କି ବାହାରୁ କେହି ଆସିପାରିବେନି । ସବୁ ସରକାରୀ, ବେସରକାରୀ ଅଫିସ, ଦୋକାନ ବନ୍ଦ ରହିବ । ଲୋକଙ୍କ ଜରୁରୀ ଆବଶ୍ୟକତା ପୂରଣ ଲାଗି ବିଏମସି ଏକ ଟିମ୍ ଗଠନ କରିଛି । ଏଥିସହ ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ବିଏମସି ପକ୍ଷରୁ ହେଲପଲାଇନ୍ ନମ୍ବର 1929 ଜାରି କରାଯାଇଛି ।
ତେବେ ସତ୍ୟନଗର ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସିର ଦାବିକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଛି । କାରଣ ଗତକାଲି ରାଜ୍ୟର ଦୁଇଟି କରୋନା କେସ୍ ସମ୍ପର୍କରେ ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ଜଣେ ଭୁବନେଶ୍ୱର ଝାରପଡ଼ାର ୭୨ ବର୍ଷର ବୃଦ୍ଧ(ମୃତ) ଏବଂ ଅନ୍ୟଜଣଙ୍କ ମଧୁସୂଦନ ଅଞ୍ଚଳ ୪୫ ବର୍ଷର ଯୁବକ । ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ମଧ୍ୟ ପ୍ରେସମିଟ୍ ରେ ଏହି ତଥ୍ୟ ରଖିଥିଲେ । ମାତ୍ର ତା ପରଠାରୁ ରାଜ୍ୟରୁ ଆଉ କୌଣସି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ଭାବେ କୁହାଯାଇନାହିଁ ।
ମାତ୍ର ସକାଳୁ ବିଏମସି କମିଶନରଙ୍କ ଦସ୍ତଖତରେ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି
..the recent positive cases of COVID-19 detected in Satya Nagar area of Bhubaneswar with no travel histroy neither to any other nor any part of India and to contain any possible spread of COVID-19, it is necessary to make the affected area as a containment zone and to restrict public from entering into and going out of the containment zone;
ସତ୍ୟନଗରରରୁ ଏହି ତଥାକଥିତ କରୋନା ଆକ୍ରାନ୍ତଙ୍କୁ ମିଶାଇଲେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨ରୁ ଅଧିକ ହେବ । ଯଦି ବିଏମସି ତଥ୍ୟ ସତ ତେବେ କୋଭିଡ୍ ପଜିଟିଭ୍ ରିପୋର୍ଟର ତାଲିକା ବନୋଉଥିବା ସ୍ୱାସ୍ଥ୍ୟ ବିଭାଗ କାହିଁକି ଏହା ଜଣାଇନାହିଁ ତାହା ବୁଝାପଡିନି । କ’ଣ ଏୟା ବୁଝିବାକୁ ହେବ ଯେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏବଂ ବିଏମସି ମଧ୍ୟରେ ସମନ୍ୱୟର ଅଭାବ ରହିଛି? ଏହାଦ୍ୱାରା ଗଣମାଧ୍ୟମ ସଠିକ ତଥ୍ୟ ପାଉନାହାନ୍ତି ଏବଂ ଲୋକେ ବିଭ୍ରାଟ ରେ ପଡୁଛନ୍ତି ।






