ଭୁବନେଶ୍ୱର: ସାଢ଼େ ଚାରି କୋଟି ଓଡ଼ିଶାବାସୀ ଧୈର୍ଯ୍ୟର ସହ ମହାମାରୀ କରୋନା ବିତ୍ତିକୁ ମୁକାବିଲା କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି । କରୋନା ମୁକାବିଲାରେ ଉଦାହରଣ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀ ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନଙ୍କୁ ମାନବିକତାର ଧର୍ମ ପାଳନ ପାଇଁ ମଧ୍ୟ ଆହ୍ୱାନ ଦେଇଛନ୍ତି ।
ନିଜ ଅଞ୍ଚଳରେ କାହାରିକୁ ବି ଭୋକିଲାରେ ରହିବାକୁ ଦିଅନାହିଁ । ଭୋକିଲା ବ୍ୟକ୍ତିଙ୍କୁ ନିଜ ପରିବାରର ସଦସ୍ୟ ଭାବେ ବିବେଚନା କରନ୍ତୁ । ଏଭଳି ଘଡ଼ିସନ୍ଧି ମୁହୁର୍ତ୍ତରେ ଦରିଦ୍ର, ଭୋକିଲା ଲୋକଙ୍କ ପାଖରେ ଛିଡ଼ା ହୋଇ ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ । ଏଭଳି କାର୍ଯ୍ୟକୁ ସାମାଜିକ ଦାୟିତ୍ୱ ଭାବରେ ଗ୍ରହଣ କରନ୍ତୁ । ଆଜି ବିଜେଡ଼ି ଓ କର୍ମୀ ଓ ଶୁଭେଚ୍ଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି ।
ଖାଲି ସେତିକି ନୁହେଁ, ଏହି ସଙ୍କଟ ସମୟରେ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ଜରିଆରେ ରକ୍ତର ଅଭାବ ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଏହାକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଏହି ଆପତ୍ତକାଳୀନ ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନ ଭୁଲି ନ ଯିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି । ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଘରୁ ବାହାରକୁ ଯାଉଛନ୍ତି ମୁହଁରେ ନିଶ୍ଚୟ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।
ସଞ୍ଜୟଙ୍କ ନିବେଦନ: ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆହ୍ୱାନକୁ ଗ୍ରହଣ କରି ଏକ ସାମାଜିକ ଆନ୍ଦୋଳନରେ ପରିଣତ କରିବାକୁ ଦଳର ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଦଳର ସମସ୍ତ ବିଧାୟକ, ସାଂସଦଙ୍କ ସମେତ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିବେଦନ କରିଛନ୍ତି । କାହାରିକୁ ଭୋକିଲାରେ ରଖିବାକୁ ଦେବା ନାହିଁ ଏବଂ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଅଭାବକୁ ଦୂର କରି ଏହି ଜଟିଳ ପରିସ୍ଥିତିର ମୁକାବିଲା କରିବା । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ ଗ୍ରହଣ କରି ସାମାଜିକ ଦାୟିତ୍ୱ ପ୍ରତି ଅଙ୍ଗୀକାରବଦ୍ଧ ହେବା ବୋଲି ଶ୍ରୀ ଦାସବର୍ମା ନିବେଦନ କରିଛନ୍ତି ।