ଭୁବନେଶ୍ୱର: ଏପ୍ରିଲ୍ ୧୪ ତାରିଖ ପର୍ଯ୍ୟନ୍ତ ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଥିଲେ ମଧ୍ୟ ଏହାର ଅବଧି ବଢ଼ିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏଭଳି ସୂଚନା ଦେଇଛନ୍ତି ।
ଦେଶରେ ସାମ୍ପ୍ରତିକ କରୋନା ଏବଂ ଲକ୍ ଡାଉନ୍ ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଭିଡ଼ିଓ କନଫରେନସିଂ ଯୋଗେ ଆଲୋଚନା କରିଥିଲେ । ଲକ୍ ଡାଉନ୍ ଅବଧିକୁ ନେଇ ପ୍ରଧାନମନ୍ତ୍ରୀ ସମସ୍ତଙ୍କର ମତ ଲୋଡିଥିଲେ । ଲକ୍ ଡାଉନ୍ ଅବଧି ବୃଦ୍ଧି ପାଇଁ ଅଧିକାଂଶ ମତ ଦେଇଛନ୍ତି । ସାଂମ୍ପ୍ରତିକ ପରିସ୍ଥିତିରେ ଦେଶରୁ ଲକ୍ ଡାଉନ୍ ହଟାଯାଇ ପାରିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବିଜେଡ଼ି ସାଂସଦ ପିନାକୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ତେବେ ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପୁଣି ଥରେ ଆଲୋଚନା କରି ଯାହା ନିଷ୍ପତ୍ତି ନେବେ ।
ସୂଚନାଯୋଗ୍ୟ ଦିଲ୍ଲୀ, ମୁମ୍ବାଇ ସମେତ ଦେଶର ବିଭିନ୍ନ ରାଜ୍ୟରେ ଏବେ କରୋନା ସ୍ଥିତି ଭୟଙ୍କର ଅବସ୍ଥାରେ ଅଛି । ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୭୩ ନୂଆ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିଲେ ।
ଏପଟେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୨୩ ରୁ ଲକ୍ ଡାଉନ୍ ଘୋଷଣା କରିଥିଲେ ।