ଭୁୁବନେଶ୍ୱର: ଲଗାତର ତୃତୀୟ ଦିନରେ ପୁଣି ଖୁସି ଖବର । ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେମାନଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ୍ ବାହାରିଛି । ସମସ୍ତେ ହେଉଛନ୍ତି ଭୁବନେଶ୍ୱରର । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ରାତିରେ ଟ୍ୱିଟ୍ ଯୋଗେ ଏହି ସୂଚନା ଦିଆଯାଇଛି । ଗତକାଲି କଳାହାଣ୍ଡିର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ତା ପୂର୍ବଦିନ ୧୦ ତାରିଖ ରାତିରେ ଏକାସାଙ୍ଗେ ୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିଲେ ।
ପୂର୍ବରୁ ରାଜ୍ୟର ପ୍ରଥମ ଓ ଦ୍ୱିତୀୟ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସମସ୍ତଙ୍କୁ ମିଶାଇ ଏବେ ରାଜ୍ୟର ୧୮ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ଆଜି ଆଉ ଜଣେ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୫ ରେ ପହଞ୍ଚିଛି । ତେବେ ସେମାନଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତି ଆଣିଦେଇଛି ।
ସମସ୍ତଙ୍କ ମିଳିତ ସହଯୋଗରେ ଓଡ଼ିଶା କୋଭିଡ୍ ବିରୋଧୀ ଲଢ଼େଇରେ ବିଜୟୀ ହେବାକୁ ଯାଉଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।






