‘ମହାପ୍ରଭୁଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ’
ଭୁବନେଶ୍ୱର: ସୁପ୍ରିମ୍ କୋର୍ଟରେ ରିଭ୍ୟୁ ପିଟିସନ୍ ଜରିଆରେ ରଥଯାତ୍ରା ବନ୍ଦ ନିଷ୍ପତ୍ତିର ପୁର୍ନବିଚାର ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇପାରନ୍ତି ବୋଲି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଲୋକଙ୍କ ସୁରକ୍ଷା ଓ ଜନସ୍ୱାର୍ଥ ପାଇଁ ଏବର୍ଷ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ । ଆଜି ରାଜ୍ୟ କ୍ୟାବିନେଟ୍ ର ଜରୁରୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଆଜି ସଂଧ୍ୟାରେ ଭିଡ଼ିଓ କନଫରେନ୍ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ଜରୁରୀ ବୈଠକ ବସିଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆଡଭୋକେଟ୍ ଜେନେରାଲ୍, ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ଥିଲେ । ଆରମ୍ଭରେ ଚୀନ୍ ସେନାଙ୍କ ଆକ୍ରମଣରେ ସହିଦ ଦୁଇ ଓଡ଼ିଆ ଯବାନଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମ୍ କୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଆଡଭୋକେଟ୍ ଜେନେରାଲ୍ କ୍ୟାବିନେଟ୍ କୁ ଅବଗତ କରିଥିଲେ । ଏହାପରେ ଆଇନମନ୍ତ୍ରୀ ପ୍ରତାପ ଜେନା ସୁପ୍ରିମ୍ କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ପାଳନ ପାଇଁ ପ୍ରସ୍ତାବ ଆଣିଥିଲେ । ଯାହା କ୍ୟାବିନେଟ୍ ରେ ଗୃହୀତ ହୋଇଥିଲା ।
କ୍ୟାବିନେଟ୍ ସଂକଳ୍ପରେ କୁହାଯାଇଛି
ଏହି ନିଷ୍ପତ୍ତି ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ନିଶ୍ଚୟ ଦୁଃଖ ଦେବ ।
ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା, ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ । ପ୍ରତ୍ୟେକ ଓଡ଼ିଆର ସୁଖଦୁଃଖରେ ପଥ ପ୍ରଦର୍ଶକ । ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସେ ଦାରୁ ରୂପରେ ଲୀଳା କରୁଛନ୍ତି । ସେ ଲୀଳାମୟ ହିଁ ସବୁର କର୍ତ୍ତା, ସବୁର ନିୟନ୍ତା । ଆମେ କେବଳ ନିମିତ୍ତ ମାତ୍ର । ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ ।
ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବରେ ଗ୍ରହଣ କରି ଜୀବନର ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି ।
ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢ଼ଉଛି, ଆମେ ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଛୁ । ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବିପଦରୁ ଆମ ସମସ୍ତଙ୍କୁୁ ରକ୍ଷା କରନ୍ତୁ ।
ଜୟ ଜଗନ୍ନାଥ ।
ଏଥିସହ କ୍ୟାବିନେଟ୍ ରେ ନିଷ୍ପତ୍ତି ହେଲା
* ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିର୍ଦ୍ଦେଶାବଳୀର ଅନୁପାଳନ ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପଦକ୍ଷେପ ନେବେ ।
* ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନଗୁଡ଼ିକ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଯେଭଳି ପାଳନ କରିବେ, ତାହାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ସୁନିଶ୍ଚିତ କରିବେ ।
ଭାରତ ସରକାରଙ୍କ ନିର୍ଦ୍ଦେଶ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଏବଂ କୋଭିଡ-୧୯ ପରିଚାଳନା ପାଇଁ ରାଷ୍ଟ୍ରୀୟସ୍ତରର ସମସ୍ତ ନିର୍ଦ୍ଦେଶାବଳୀର ଦୃଢ଼ ଅନୁପାଳନ ସହିତ ଏହା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଏହି ନିର୍ଦ୍ଦେଶକୁ ପାଳନ ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପରେ ଏବର୍ଷର ରଥଯାତ୍ରା ଅଧ୍ୟାୟର ଅବସାନ ଘଟିଛି । ସୁପ୍ରିମ୍ କୋର୍ଟରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଦୁଇ ବିରୋଧୀ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ସମାଲୋଚନା କରିଥିବା ବେଳେ ସେବାୟତମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଓ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ନାମୀ ଓକିଲ ହରିଶ୍ ସାଲଭେଙ୍କ ଯୁକ୍ତିରୁ ରାଜ୍ୟ ସରକାରଙ୍କ ଦୋମୁହାଁ ନୀତି ପଦାରେ ପଡ଼ିଛି ବୋଲି ସେମାନେ କହିଛନ୍ତି । ଅନ୍ୟପକ୍ଷରେ ରଥଯାତ୍ରା ବନ୍ଦ ନିଷ୍ପତ୍ତି ଜଗନ୍ନାଥପ୍ରେମୀଙ୍କୁ ଭୀଷଣ କଷ୍ଟ ଓ ଆଘାତ ଦେଇଥିଲେ ମଧ୍ୟ କରୋନା ସଙ୍କଟର ବାସ୍ତବତାକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଛନ୍ତି । ମହାପ୍ରଭୁଙ୍କ ଇଚ୍ଛାରେ ସବୁ କିଛି ହେଉଛି, ଏହି ସତ୍ୟକୁ ସମସ୍ତେ ଗ୍ରହଣ କଲେଣି ।
ଅନ୍ୟପକ୍ଷରେ, ବଡ଼ଦାଣ୍ଡରେ ରଥ ନ ଗଡ଼ିଲେ ମଧ୍ୟ ରଥଯାତ୍ରା ନୀତିକାନ୍ତି କିଭଳି ହେବ ତାହାକୁ ନେଇ ଏବେ ବାଦବିବାଦ ଆରମ୍ଭ ହେଲାଣି । ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବା ସହ ମନ୍ଦିର ଭିତରେ ରଥଯାତ୍ରା ନୀତିକାନ୍ତି ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ ବୋଲି କହିଛନ୍ତି ।
ସୂଚନାଥାଉକି, କରୋନା ପାଇଁ ଏବର୍ଷର ରଥଯାତ୍ରା ପ୍ରଥମରୁ ଅନିଶ୍ଚିତତା ଭିତରେ ଥିଲା । ଲକ୍ ଡାଉନ୍ ପାଇଁ ରଥ ନିର୍ମାଣ କାର୍ଯ୍ୟ ୧୨ ଦିନ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ ୪ ଦିନ ଆଗରୁ ସରିଯାଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ନିଜେ ଏଥିପାଇଁ ବେଶ୍ ତତ୍ପର ଥିଲେ । ଜିଲ୍ଲା ପ୍ରଶାସନ, ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ରଥ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ ।






