ପୁରୀ: ପୁଣି କଡ଼ ଲେଉଟାଇଲା ଇତିହାସ । କରୋନା କାଳେ ପୁଣି ଥରେ ବିଶ୍ୱ ଦେଖିଲା ଜଗତ ଠାକୁରଙ୍କ ଶୃଙ୍ଖଳିତ ରଥଯାତ୍ରା । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ି ସୂର୍ଯ୍ୟ ନଇଁବା ଆଗରୁ ଶରଧାବାଲିରେ ପହଞ୍ଚିଗଲେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ତିନି ରଥ । ତିନି ରଥଙ୍କୁ ଶୃଙ୍ଖଳିତ ଢ଼ଙ୍ଗରେ ଟାଣି ନେଇଥିଲେ ସେବାୟତ । ଠାକୁରଙ୍କ ନୀତିକାନ୍ତିଠାରୁ ଆରମ୍ଭ କରି ରଥଟଣା କେଉଁଠି ବି ସାମାନ୍ୟ ବିଭ୍ରାଟ ନ ଥିଲା । କାଳିଆ ସାଆନ୍ତ ସୁନାପିଲା ଭଳି ସବୁ କାର୍ଯ୍ୟ ସୁରୁଖୁରୁରେ କରାଇ ଦେଇଥିଲେ । ସବୁ ଥିଲା ଯେମିତି ସେହି ମହାପ୍ରଭୁଙ୍କ ଅପାର କୃପା ।

ଆଜି ଶ୍ରୀଜୀଉଙ୍କର ନୀତିକାନ୍ତି କେଉଁଥିରେ ବିଭ୍ରାଟ୍ ନ ଥିଲା କି ବିଳମ୍ବ ନ ଥିଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ ନୀତି ନିର୍ଘଣ୍ଟ ଗୋଟିକ ପରେ ଗୋଟିଏ ଯଥେଷ୍ଟ ପୂର୍ବରୁ ସରିଯାଇଥିଲା । ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡି ବିଜେ ହୋଇ ରଥାରୁଢ଼ ହେଲା ପରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ପରେ ମହାରାଜା ଦିବ୍ୟସିଂହ ଦେବ ଶ୍ରୀନଅରରୁ ଆସି ତିନି ରଥ ଉପରେ ଛେରାପହଁରା କରିଥିଲେ ।
ଏହାପରେ ଚାରମାଳ ଫିଟା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଆଉ ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ, ପରେ ମା ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷକୁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଘଣ୍ଟନାଦ ମଧ୍ୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଗକୁ ଟାଣି ଆଣିଥିଲେ ସେବାୟତ । ସଂଧ୍ୟା ପୂର୍ବରୁ ଶରଧାବାଲିରେ ପହଞ୍ଚି ସାରିଥିଲା ତିନି ରଥ ।

ତିନି ରଥ ଶରଧାବାଲିରେ ପହଞ୍ଚିବା ପରେ ସେଠାରେ ପରିବେଶ ଆହୁରି ଭାବାମୟ ହୋଇଯାଇଥିଲା । ସେବାୟତମାନେ ସମବେତ ସ୍ୱରରେ ଗୀତ ଗୋବିନ୍ଦ ଗାନ କରିବା ଦୃଶ୍ୟ ଅନନ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା । ସେମବାୟତମାନଙ୍କ ସହିତ ମିଶି ଗୀତ ଗୋବିନ୍ଦ ଗାନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର । ନବଦିନାତ୍ମକ ଯାତ୍ରାର ଏହି ପ୍ରଥମ ପର୍ବ ସୁରୁଖୁରୁରେ ଶେଷ ହୋଇଥିବାରୁ ସମସ୍ତଙ୍କ ମନରେ ଖୁସି ଓ ଆନନ୍ଦ ପ୍ରକାଶ ପାଇଛି ।
ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ: କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଜି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେବାୟତମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ସେହିପରି ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁରୀ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ସର୍ବୋପରି କୋଭିଡ୍ କଟକଣା ମଧ୍ୟରେ ପୁରୀର ଜନସାଧାରଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି ତାହା ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିବା ସହ ପୁରୀବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ଶ୍ରୀ ଅଭୟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ମଧ୍ୟ ସମସ୍ତ ସେବାୟତ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ପୁରୀବାସୀଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।






