ଭୁବନେଶ୍ୱର: ନୂଆ ଚେହେରା ପାଇବ ବିଜୁ ଜନତା ଦଳର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ । ବର୍ତ୍ତମାନର ରାଜ୍ୟ କାର୍ଯ୍ୟାଳୟର ପଛପଟେ ଏହା ନିର୍ମାଣ ହେବାକୁ ଯାଉଛି । ଆଜି ପବିତ୍ର ରଥଯାତ୍ରା ଅବସରରେ ଏହି ମୁଖ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ନେତାଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ନଡିଆ ବାଡେଇ ଭୂମିପୂଜା କରିଥିଲେ ।
ସରକାରୀ କ୍ୱାର୍ଟରରେ ଚାଲିଥିବା ବର୍ତ୍ତମାନର ରାଜ୍ୟ କାର୍ଯ୍ୟାଳୟଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ । ସରକାରଙ୍କଠାରୁ କିଣା ଯାଇଥିବା ଦୁଇଟି କ୍ୱାଟର୍ସର ଜମିରେ ବି+ଜି+୩ ମହଲାର କୋଠା ହେବ । ସମ୍ପୂର୍ଣ୍ଣ କର୍ପୋରେଟ୍ ଢ଼ାଞ୍ଚାରେ ନିର୍ମାଣ ପାଇଁ ଏହାର ଡିଜାଇନ୍ ପ୍ରସ୍ତୁତ ହୋଇଛି । କୋଠାର ବେସମେଣ୍ଟ ଓ ତଳ ମହଲା ପାର୍କିଂ ପାଇଁ ଉଦ୍ଦିଷ୍ଟ ଥିବା ବେଳେ ବାକି ତିନି ମହଲାରେ ଦଳୀୟ କାର୍ଯ୍ୟ ହେବ । ଦଳ ସଭାପତିଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ରହିବ । ଦଳର ଛାମୁଆ ସଂଗଠନ ଓ ବିଭିନ୍ନ ସେଲ୍ ପାଇଁ କାର୍ଯ୍ୟାଳୟ ରହିବ । ଏକାଧିକ କନଫରେନ୍ସ ହଲ୍, ମିଡ଼ିଆ ପାଇଁ ସ୍ୱତନ୍ତ୍ର ରୁମ୍, ଷ୍ଟୁଡ଼ିଓ, ଆଇଟି ସେଲ୍, କ୍ୟାଣ୍ଟିନ୍, ଲାଇବ୍ରେରୀ ସୁବିଧା ରହିବ ।
ବିଜେଡ଼ି ନୂତନ କାର୍ଯ୍ୟାଳୟ ସାଢ଼େ ୪ କୋଟି ଓଡ଼ିଆଙ୍କ ସେବାରେ ସମର୍ପିତ ହେବ ବୋଲି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସ କହିଛନ୍ତି । ଉକ୍ତ କାର୍ଯ୍ୟାଳୟରେ ଓଡ଼ିଶାବାସୀଙ୍କ ସେବା ପାଇଁ ବିଭିନ୍ନ ଶାଖା କାର୍ଯ୍ୟକ୍ଷମ ହେବା ସହିତ ରକ୍ତଦାନ ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଚାଲୁ ରହିବ । ଏହା କେବଳ ଦଳୀୟ କାର୍ଯ୍ୟାଳୟ ହେବ ନାହିଁ, ବରଂ ଏହା ଓଡ଼ିଶାବାସୀଙ୍କ ପାଇଁ ସେବା ଓ ସମର୍ପଣର ପ୍ରତୀକ ହେବ । ଓଡ଼ିଶା ସ୍ୱାଭିମାନର ଜାଗ୍ରତ ପ୍ରହରୀ ଭାବେ ମଧ୍ୟ ଏହା କାର୍ଯ୍ୟ କରିବ ବୋଲି ଶ୍ରୀ ଦାସ କହିଛନ୍ତି ।
ସୂଚନାଥାଉକି, ବିଜେପି ମଧ୍ୟ ତାର କାର୍ଯ୍ୟାଳୟକୁ ନୂଆ ରୂପ ଦେବାକୁ ଯାଉଛି । ଏହାର ଡିଜାଇନ୍ କର୍ପୋରେଟ୍ ଢ଼ାଞ୍ଚାରେ ପ୍ରସ୍ତୁତ ହୋଇଛି । ୧୦ ମହଲା କୋଠା ନିର୍ମାଣ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି ।