ଭୁୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲ୍ ରେ କାର୍ଯ୍ୟରତ ବିଶିଷ୍ଟ ସର୍ଜନ ତଥା ଲୋକପ୍ରିୟ ଡାକ୍ତର ଭବାନୀ ଶଙ୍କର ବଳ(୫୪) ଆଉ ନାହାନ୍ତି । କରୋନାରେ ସଂକ୍ରମିତ ହୋଇ ଦୀର୍ଘ ଚାରିି ମାସ ମୃତ୍ୟୁ ସହ ସଂଗ୍ରାମ କଲା ପରେ ହାରିଯାଇଛନ୍ତି । ୟୁନିଟ୍-୬ ସ୍ଥିତ ସରକାରୀ ବାସଭବନରେ ଗତକାଲି ତାଙ୍କର ପରଲୋକ ହୋଇଛି । ଡାକ୍ତର ବଳଙ୍କ ଅକାଳ ବିୟୋଗ ବିଭିନ୍ନ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
ଡାକ୍ତର ବଳ ଗତ ମେ ମାସରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଆପୋଲୋ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ତାଙ୍କ ଫୁସଫୁସ୍ ମାତ୍ରାଧିକ କ୍ଷତିଗ୍ରସ୍ତ ହୋଇଥିଲା । ଦୀର୍ଘ ତିନି ମାସ ଧରି ସେଠାରେ ଚିକିତ୍ସିତ ହେଲା ପରେ କ୍ୟାପିଟାଲ୍ ହସ୍ପିଟାଲ୍ ସ୍ଥାନାନ୍ତର ହୋଇଥିଲେ । ପ୍ରାୟ ୨୦ ଦିନ ଧରି ଆଇସିୟୁରେ ରହିବା ପରେ ସାମାନ୍ୟ ଭଲ ଲାଗିବାରୁ ରବିବାର ଦିନ ଘରକୁ ଆସିଥିଲେ । ତେବେ ଗତକାଲି ରାତିରେ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ଡାକ୍ତରଖାନା ଯିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ।
ଜଣେ ଅମାୟକ ଓ ବନ୍ଧୁବତ୍ସଳ ବ୍ୟକ୍ତି ଭାବେ ଡାକ୍ତର ବଳ ବେଶ୍ ଜଣାଶୁଣା ଥିଲେ । ସରକାରୀ କାର୍ଯ୍ୟ ବାହାରେ ବ୍ୟକ୍ତିଗତ ଭାବେ ଗରିବ ଲୋକଙ୍କୁ ମାଗଣାରେ ଚିକିତ୍ସା ସେବା ଦେବାରେ ତାଙ୍କର ଆନନ୍ଦ ଥିଲା । ଗରିବ ଓ ଅସହାୟ ରୋଗୀମାନଙ୍କୁ ନିଜ ହାତରୁ ଖର୍ଚ୍ଚ କରି ଔଷଧ ଦେଉଥିଲେ । ତାଙ୍କର ଏହି ମହତ୍ କାର୍ଯ୍ୟ ପାଇଁ ସମସ୍ତେ ତାଙ୍କୁ ବହୁତ ଭଲ ପାଉଥିଲେ ।







