ଭୁବନେଶ୍ୱର: ତିନିଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ରେଲୱେ, କୋଇଲା ଏବଂ ଖଣି ରାଷ୍ଟ୍ରମନ୍ତ୍ରୀ ରାଓସାହେବ ପାଟିଲ୍ ଆଜି ଅପରାହ୍ନରେ ନବୀନ ନିବାସ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ପ୍ରାୟ ୪୫ ମିନିଟ୍ କାଳ ଆଲୋଚନା କରିଥିଲେ ।

ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ କ୍ଲିନ୍ ଏନର୍ଜୀ ସେସ୍ ର ୬୦% ଓଡ଼ିଶାକୁ ଦେବା, ସୁନ୍ଦରଗଡ଼ରେ ଏମସ୍ ପ୍ରତିଷ୍ଠା ଏବଂ ତାଳଚେର ଏମସିଏଲ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ପାଇଁ ଦାବି କରିଥିଲେ ।
ମଧ୍ୟାହ୍ନରେ ଦୁଇ କେନ୍ଦ୍ରମନ୍ତ୍ରୀ ହୋଟେଲ ମେ ଫେୟାରରେ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ସେଠା କାର୍ଯ୍ୟକ୍ରମ ସରିବା ପରେ ଅପରାହ୍ନ ପ୍ରାୟ ୫.୪୫ ରେ ନବୀନ ନିବାସ ଆସିଥିଲେ । ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଅତ୍ୟନ୍ତ ସୌହାର୍ଦ୍ଦପୂର୍ଣ୍ଣ ଥିଲା । ନବୀନଙ୍କ ଆତିଥ୍ୟ ପାଇ ଖୁସିରେ ସେମାନେ ଫେରିଥିଲେ ।
ସାମ୍ପ୍ରତିକ ପରିସ୍ଥିତିରେ ଦୁଇ କେନ୍ଦ୍ରମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମ ବାହାରେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଘଟଣାକୁ ରାଜନୈତିକ ମହଲ ଗୁରୁତ୍ୱ ଦେଇଛନ୍ତି । ନବୀନ ନିବାସରେ ଉଭୟ ପକ୍ଷ ମଧ୍ୟରେ ରାଜ୍ୟର ବିକାଶ ନେଇ ଆଲୋଚନା ହୋଇଥିଲେ ମଧ୍ୟ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି । ନବୀନଙ୍କ ସହ ସମ୍ପର୍କର ଡୋରି ଏବଂ ସମ୍ମାନ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ନିବାସ ଟାଣି ଆଣିଥିଲା ବୋଲି ଚର୍ଚ୍ଚା ହେଉଛି ।
ମମିତା ମେହେର ହତ୍ୟା ଘଟଣା ଏବେ ରାଜ୍ୟରେ କମ୍ପମାନ ହେଉଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିଜେପି ସାରା ରାଜ୍ୟରେ ଆନ୍ଦୋଳନ ଚଳାଇଛି । ଦିବ୍ୟଶଙ୍କରଙ୍କୁ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଥିବା ଅଭିଯୋଗ ବାଢ଼ି ବିଜେପି ତାଙ୍କୁ ନିଶାନା କରିଛି । ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରେସ୍ ମିଟ୍ କରି ବିଜେଡ଼ି ସରକାର ବିରୋଧରେ ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ମୃତ ମମିତାଙ୍କ ଗାଁକୁ ଆଜି ବିଜେପିର ତିନିଜଣିଆ କେନ୍ଦ୍ରୀୟ ମହିଳା ପ୍ରତିନିଧ ଆସିି ତାଙ୍କ ବାପାମାଆଙ୍କୁ ଭେଟିଥିଲେ । ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ସେମାନେ ସନ୍ଦେହ ପ୍ରକଟ କରିବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ପାଇଁ ଦଳର ଦାବି ଦୋହରାଇଥିଲେ । ଇଆଡ଼େ ଏତେବଡ଼ ମାମଲାରେ ଥରୁଟିଏ ପାଟି ଖୋଲି ଅନ୍ତର୍ଦ୍ଧାନ ଏବଂ ରାଜ୍ୟ ବିଜେପିରେ ଅଲୋଡ଼ା ହୋଇଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କର ଆଜି ଆର୍ବିଭାବ ହୋଇଥିଲା । ଏକ ସାମ୍ବାଦିକ ସମ୍ମିଳନୀ କରି ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍ କରିଥିଲେ ।







