ଭୁବନେଶ୍ୱର: ଅବସରପ୍ରାପ୍ତ ପୁଲିସ ଡିଜି ଶ୍ରୀ ଅଭୟଙ୍କୁ ରାଜ୍ୟ ସରକାର ଷ୍ଟାଫ୍ ସିଲେକ୍ସନ୍ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇଛନ୍ତି । ଦାୟିତ୍ୱ ନେବାଠାରୁ ୫ ବର୍ଷ କିମ୍ବା ୬୨ ବର୍ଷ ହେଲା ପର୍ଯ୍ୟନ୍ତ ସେ ଏହି ପଦବୀରେ କାର୍ଯ୍ୟ କରିବେ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପରେ ଶ୍ରୀ ଅଭୟ ଦାୟିତ୍ୱ ଗ୍ରହଣ କରିଛନ୍ତି ।
୧୯୮୬ ବ୍ୟାଚ୍ ଆଇପିଏସ୍ ଅଫିସର ଅଭୟ ୨୦୧୯ ନଭେମ୍ବରରେ ଡିଜିପି ନିଯୁକ୍ତି ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଜୁନ୍ ୨୦୨୧ ରେ ଶେଷ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଆଉ ୬ ମାସ ବୃଦ୍ଧି କରିଥିଲେ । ଗତ ଡିସେମ୍ବର ୩୧ ତାରିଖରେ ସେ ଚାକିରିରୁ ଅବସର ଗ୍ରହଣ କରିଥିଲେ ।
ଷ୍ଟାଫ୍ ସିଲେକ୍ସନ୍ ନିଯୁକ୍ତିରେ ସମୟାନୁବର୍ତ୍ତିତା ଓ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବେ ବୋଲି ଶ୍ରୀ ଅଭୟ ଦାୟିତ୍ୱ ଗ୍ରହଣ କରିବା ପରେ ଟ୍ୱିଟ୍ କରିଛନ୍ତି ।