ଭୁବନେଶ୍ୱର: ଫିଫା ଫୁଟ୍ବଲ୍ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶା ସମେତ ଭାରତ ଓ ସମଗ୍ର ଦକ୍ଷିଣ ଏସିଆରେ ସ୍କୁଲ୍ସ୍ତରରେ ଫୁଟ୍ବଲ୍ର ବିକାଶ କରିବ କିସ୍ । ଏଥି ନିମନ୍ତେ ବୁଧବାର ଫିଫା ଫାଉଣ୍ଡେସନ୍ ଓ କିସ୍ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସୁଇଜରଲାଣ୍ଡର ଜୁରିକ୍ଠାରେ ଉଭୟ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣା ପତ୍ରରେ ଫିଫା ଫାଉଣ୍ଡେସନ୍ ପକ୍ଷରୁ ଏହାର ସିଇଓ ୟୁରି ଜୋର୍କେଫ୍ ସ୍ୱାକ୍ଷର କରିଥିବା ବେଳେ କିସ୍ ପକ୍ଷରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ । କିସ୍ ର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ତୃଣମୂଳସ୍ତରରେ ଫୁଟବଲ ଖେଳାଳୀମାନଙ୍କୁ ଏହା ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।







