ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରୂପ ଓ ରଙ୍ଗକୁ ନେଇ ପଶ୍ଚିମବଙ୍ଗ ମନ୍ତ୍ରୀ ଅଖିଳ ଗିରିଙ୍କ ତାତ୍ସଲ୍ୟଭରା ମନ୍ତବ୍ୟ ସାରା ଦେଶରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଛି । ଓଡ଼ିଶାରେ ଏହାକୁ କଡ଼ା ଭାଷାରେ ନିନ୍ଦା କରାଯାଇଛି । ଅଭଦ୍ରାମୀର ଚରମ ସୀମା ଛୁଇଁଥିବା ମମତା ବାନାର୍ଜୀଙ୍କ କ୍ୟାବିନେଟ୍ ସହଯୋଗୀ ଗିରିଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଯାଇଛି । ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଅଶାଳୀନ ଏବଂ ଅରୁଚିକର ମନ୍ତବ୍ୟକୁ କେହି ଗ୍ରହଣ କରିନାହାନ୍ତି ।
ପଶ୍ଚିମବଙ୍ଗର ନନ୍ଦିଗ୍ରାମଠାରେ ଏକ ସାଧାରଣ ସଭାରେ ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇଥିଲେ । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ସମାଲୋଚନାର ଜବାବ ଦେବାକୁ ଯାଇ ସେ କହିଥିଲେ, ବିଜେପିବାଲାଙ୍କୁ ମୁଁ ସୁନ୍ଦର ଲାଗୁନି । କିନ୍ତୁ ସେମାନେ ଜାଣିବା ଦରକାର, ଆମେ ଚେହେରା ଦେଖି କାହାକୁ ଗଣତି କରୁନା । ଆମେ ଭାରତର ରାଷ୍ଟ୍ରପତିଙ୍କ ଅଫିସକୁ ବି ସମ୍ମାନ କରୁ । ହେଲେ ଆମ ରାଷ୍ଟ୍ରପତି ଦେଖିବାକୁ କେମିତି?
ଗିରିଙ୍କର ଏହି ଭାଷଣରେ ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କ ବିଦ୍ରୁପର ଢ଼ଙ୍ଗ ବାରି ହୋଇଯାଉଥିଲା । ଭାବଭଙ୍ଗୀ ଅତ୍ୟନ୍ତ ଅରୁଚିକର ଥିଲା । ଅଭଦ୍ର, ଲୋଫର୍ ଙ୍କ ଭଳି ଆଚରଣ ଥିଲା ।
ନନ୍ଦିଗ୍ରାମଠାରେ ଗତ ଶୁକ୍ରବାର ସଂଧ୍ୟାରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଏହି ଭାଷଣ ଦେଇଥିଲେ । ତାଙ୍କ ଭାଷଣର ଏକ ଭିଡ଼ିଓ ଫୁଟେଜ୍ କାଲି ରାତିରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ସାରା ଦେଶରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।
ଦେଶର ପ୍ରଥମ ନାଗରିକ, ପ୍ରଥମ ଆଦିବାସୀ ରାଷ୍ଟ୍ରପତି ଏବଂ ସର୍ବୋପରି ଜଣେ ମହିଳାଙ୍କ ପ୍ରତି ଗୋଟେ ରାଜ୍ୟର ମନ୍ତ୍ରୀଙ୍କର ଏଭଳି ଅପମାନସୂଚକ, ଅଶାଳୀନ ଟିପ୍ପଣୀ ଅକ୍ଷମଣୀୟ । ବିଜେପି ଏହାକୁ କଡ଼ା ଭାଷାରେ ନିନ୍ଦା କରିଛି । ବିଭିନ୍ନ ଦଳ ଏହାକୁ ନିନ୍ଦା କରିଛନ୍ତି । ସର୍ବୋପରି ସୋସିଆଲ୍ ମିଡ଼ିଆରେ ଏହା ଭୀଷଣ ପ୍ରତିକ୍ରିୟା ସୃଷ୍ଟି କଲା ପରେ ସଂପୃକ୍ତ ମନ୍ତ୍ରୀ ଶ୍ରୀ ଗିରି କ୍ଷମାପ୍ରାର୍ଥନା କରିଥିଲେ ମଧ୍ୟ ତାହାକୁ କେହି ଗ୍ରହଣ କରିନାହାନ୍ତି । ମନ୍ତ୍ରୀପଦରୁ ତାଙ୍କୁ ବହିଷ୍କାର ଏବଂ ଗିରଫ କରିବାକୁ ସବୁଆଡୁ ସ୍ୱର ଉଠିଛି ।
ଇତିମଧ୍ୟରେ ତାଙ୍କ ନିଜ ଦଳ ତୃଣମୂଳ କଂଗ୍ରେସ ପକ୍ଷରୁ ମନ୍ତ୍ରୀ ଶ୍ରୀ ଗିରିଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଛି । ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ ବୋଲି କୁହାଯାଇଛି ।
ଓଡ଼ିଶାରେ ଏହାର ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆମ ଓଡ଼ିଆ ମାଟିର ଝିଅ, ଓଡ଼ିଶାର ମଉଡ଼ମଣି, କୋଟି କୋଟି ଓଡ଼ିଆଙ୍କ ହୃଦୟର ରାଣୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ପଶ୍ଚିମବଙ୍ଗର ଜଣେ ମନ୍ତ୍ରୀଙ୍କର ଏଭଳି ଅଭଦ୍ରାମୀଙ୍କୁ କେହି ହଜମ କରିନାହାନ୍ତି । ଦେଶର ରାଷ୍ଟ୍ରପତିଙ୍କ ଗାରିମା ଏବଂ ଓଡ଼ିଶାର ସ୍ୱାଭିମାନ ପ୍ରତି ଏହା କୁଠାରଘାତ ।
ବିଜେପି ପକ୍ଷରୁ ଏହାକୁ ନେଇ ରାଜ୍ୟବ୍ୟାପୀ ପ୍ରତିବାଦ ଆନ୍ଦୋଳନ ଆରମ୍ଭ ହୋଇଛି । ଶ୍ରୀ ଗିରିଙ୍କ ବିରୋଧରେ ବିଭିନ୍ନ ଥାନାରେ ଏକାଧିକ ଏତଲା ଦିଆଯାଇଛି । ଆମ ଓଡ଼ିଶା ମାଟିର ଝିଅ ଦେଶର ରାଷ୍ଟ୍ରପତିଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟକୁ ବିଜେଡି ଏବଂ କଂଗ୍ରେସ ମଧ୍ୟ ସମାଲୋଚନା କରିଛି । ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ସୂଚନାଥାଉକି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଘନିଷ୍ଠ ସହଯୋଗୀ ହେଉଛନ୍ତି ଅଖିଳ ଗିରି । ଟିଏମସି ଛାଡ଼ି ବିଜେପି ଯାଇଥିବା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ତାଙ୍କର ମଧ୍ୟ ସମ୍ପର୍କୀୟ । ପୂର୍ବ ମିଦନାପୁରରେ ତୃଣମୂଳ କଂଗ୍ରେସର ଫେସ୍ ହେଉଛନ୍ତି ଅଖିଳ ଗିରି । ରାମନଗର ଆସନରୁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ମତ୍ସ୍ୟ ବିଭାଗର ମନ୍ତ୍ରୀ ଥିଲେ । ମାତ୍ର ନିକଟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ବେଳେ ତାଙ୍କୁ କରେକ୍ସନାଲ୍ ଆଡମିନିଷ୍ଟ୍ରସନ୍ ବିଭାଗର ଦାୟିତ୍ୱ ଦିଆଯାଇଛି ।