ଭୁବନେଶ୍ୱର: ରାଷ୍ଟ୍ରପତି ଭାବେ ନିଜର ଜନ୍ମମାଟି ମୟୁରଭଞ୍ଜରେ ପ୍ରଥମ ଥର ପାଇଁ ପାଦ ଦେବେ ଦ୍ରୌପଦୀ ମୁର୍ମୁ । ଆସନ୍ତାକାଲି ତିନି ଦିନିଆ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ଏହି ରହଣୀକାଳରେ ଶ୍ରୀମତୀ ମୁର୍ମୁ ନିଜ ସମ୍ପର୍କୀୟ, ଗାଁ ଲୋକମାନଙ୍କୁ ଭେଟିବେ । ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ଏବଂ ଶିମିଳିପାଳ ଅଭୟାରଣ୍ୟ ବୁଲିବେ ।
କାର୍ଯ୍ୟକ୍ରମ ଅନୁଯାୟୀ, ଆସନ୍ତାକାଲି ଗୁରୁବାର ସକାଳେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ରାଷ୍ଟ୍ରପତି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ସକାଳ ୧୦.୪୫ରେ ମୟୁରଭଞ୍ଜ ଜିଲ୍ଲାର ବାଦାମପାହାଡ଼ ହେଲିପ୍ୟାଡ୍ ରେ ପହଞ୍ଚିବେ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଥମେ ତାଙ୍କ ଶ୍ୱଶୁର ଘର ଗାଁ ପାହାଡ଼ପୁର ଯାଇ ତାଙ୍କର ସ୍ୱର୍ଗତ ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ସେଠାରେ ସେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରିବେ । ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଏସଏଲଏସ ଟ୍ରଷ୍ଟ ସ୍କୁଲରେ ନାବାର୍ଡ ଦ୍ୱାରା ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି କେନ୍ଦ୍ର ଏବଂ ଦକ୍ଷତା ବିକାଶ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହି ଅବସରରେ ସେ ତାଙ୍କର ଶତାଧିକ ଗାଁ ଲୋକ, ସମ୍ପର୍କୀୟ ଏବଂ ସ୍କୁଲ ପିଲାଙ୍କ ସହ କିଛି ସମୟ କାଟିବେ । ସ୍କୁଲ ପକ୍ଷରୁ ଆୟୋଜିତ ମଧ୍ୟାହ୍ନ ଭୋଜନରେ ଯୋଗଦେବେ ରାଷ୍ଟ୍ରପତି ।
ଏହାପରେ ରାଷ୍ଟ୍ରପତି ସାତପୁଟିଆସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମ ପରିଦର୍ଶନ କରିବା ସହ ସେଠାରୁ ନିଶାମୁକ୍ତ ଓଡ଼ିଶା ଆନ୍ଦୋଳନର ଶୁଭାରମ୍ଭ କରିବେ । ଏହାପରେ ଆଉ କିଛି କାର୍ଯ୍ୟକ୍ରମରେ ଯୋଗଦେଇ ରାଇରଙ୍ଗପୁର ପିଡବ୍ଲୁଡି ବଙ୍ଗଳାରେ ରାତ୍ରୀଯାପନ କରିବେ ।
୫ ତାରିଖରେ ରାଷ୍ଟ୍ରପତି ନିଜର ରାଇରଙ୍ଗପୁରସ୍ଥିତ ବାସଭବନକୁ ଯିବେ । ସେଠାକାର ହଲିଡେ ହୋମ୍ ରେ ୨୦ ମିନିଟ୍ ରହିବେ । ସେଠାରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଗାଁ ଦାଣ୍ଡବୋସ ଯିବେ । ଏହାପରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ପରିଦର୍ଶନ କରି ବାରିପଦାରେ ରାତ୍ରିଯାପନ କରିବେ ।
୬ ତାରିଖ ସକାଳ ୧୦ଟାରେ ରାଷ୍ଟ୍ରପତି ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ୧୨.୧୫ ରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ଛାଡ଼ିବେ । ରାଷ୍ଟ୍ରପତି ସିଧାସଳଖ ପଶ୍ଚିମବଙ୍ଗର କଲାଇକୁଣ୍ଡା ବିମାନବନ୍ଦର ଯାଇ ସେଠାରୁ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ।
ରାଷ୍ଟ୍ରପତିଙ୍କ ଗସ୍ତପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ୫୦ ପ୍ଲାଟୁନ୍ ପୁଲିସ ଏବଂ ୪୦୦ରୁ ଅଧିକ ଅଫିସରଙ୍କୁ ନିୟୋଜିତ କରାଯାଇଛି ।