ଭୁବନେଶ୍ୱର: ଖଣ୍ଡପଡ଼ାର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କର ଏକ ଛୋଟିଆ ଟୁଇଟ୍ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଇଂରାଜୀରେ କରିଥିବା ତାଙ୍କ ଟୁଇଟ୍ ର ଓଡ଼ିଆ ଅନୁବାଦ ହେଉଛି- ଏହି ଲୋଭୀ ବ୍ଲାକମେଲର୍ ଓଡ଼ିଶାର ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଏକ ଟଙ୍କା କାରବାର ଚୂଡ଼ାନ୍ତ କରିବାକୁ ଯାଉଛନ୍ତି । ଓଡ଼ିଶାବାସୀ ତାଙ୍କର ଆଉ ଏକ କଳା ଅଧ୍ୟାୟ ଦେଖିବାକୁ ପାଇବେ ।
ଏହି ଟୁଇଟ୍ ରେ ଅନୁଭବ କାହାରି ନାଁ ନେଇ ନ ଥିଲେ ମଧ୍ୟ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସେ ଟାର୍ଗେଟ୍ କରିଥିବା ନିଃସନ୍ଦେହରେ କୁହାଯାଇପାରେ । ଆଉ ଓଡ଼ିଶାର କେନ୍ଦ୍ରମନ୍ତ୍ରୀ ବୋଲେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ବୁଝାଯାଉଛି ।
ଅନୁଭବଙ୍କ ଟୁଇଟ୍ କୁ ବିଶ୍ୱାସ କଲେ, ସୌମ୍ୟବାବୁ ତାଙ୍କର କେଉଁ ଟଙ୍କା କାରବାର ଚୂଡ଼ାନ୍ତ କରିବାକୁ ଧର୍ମେନ୍ଦ୍ର ବାବୁଙ୍କ ସହଯୋଗ ଲୋଡ଼ିଛନ୍ତି ଏବଂ ଏଥିରେ ସଫଳ ହେବାକୁ ଯାଉଛନ୍ତି । ତେବେ ସେ ଟଙ୍କା କାରବାରଟି କ’ଣ ତାହା ସ୍ପଷ୍ଟ ହେଉନାହିଁ ।
ଏହାର ସ୍ପଷ୍ଟତା ପାଇବାକୁ ଆମେ ଅନୁଭବ ପଟ୍ଟନାୟକଙ୍କୁ ଯୋଗାଯୋଗ କରିଥିଲୁ । ମାତ୍ର ଖୁବ୍ ଶୀଘ୍ର ଏହାର ଖୁଲାସା ହୋଇଯିବ ବୋଲି ସେ କହିଛନ୍ତି ।
ସୂଚନାଥାଉକି, ଖଣ୍ଡପଡ଼ାରେ ସୌମ୍ୟବାବୁଙ୍କର ଦଳୀୟ ପ୍ରତିଦ୍ୱନ୍ଦୀ ହେଉଛନ୍ତି ଅନୁଭବ ପଟ୍ଟନାୟକ । ସୌମ୍ୟବାବୁ ତାଙ୍କ ଖବରକାଗଜକୁ ଦଳ ଓ ସରକାର ବିରୋଧରେ ଆୟୁଧ କରିଥିଲା ବେଳେ ଅନୁଭବ ତାଙ୍କୁ କଡ଼ା ଭାଷାରେ ଜବାବ ଦେଉଛନ୍ତି । ସୌମ୍ୟବାବୁଙ୍କୁ ସେ ମିଛୁଆ, ସ୍ୱାର୍ଥପର, ବିଶ୍ୱାସଘାତକତା, ବ୍ଲାକମେଲର୍ କହି କଟାକ୍ଷ କରୁଛନ୍ତି ।
ତେବେ ସେ ଯାହା ହେଉ, ଅନୁଭବଙ୍କ ନଗଦ ଟୁଇଟ୍ ଏବଂ ପରବର୍ତ୍ତୀ ପ୍ରତିକ୍ରିୟା ସମସ୍ତଙ୍କର ସସପେନ୍ସ ବଢ଼ାଇ ଦେଇଛି । ଏହି ତଥାକଥିତ ଟଙ୍କା କାରବାରଟି କ’ଣ ଜାଣିବାକୁ ସମସ୍ତଙ୍କର ଆଗ୍ରହ ବଢ଼ିଛି । ସେପଟେ ଧର୍ମେନ୍ଦ୍ରଙ୍କ ସହ ସୌମ୍ୟଙ୍କର ସମ୍ଭାବ୍ୟ ନିବିଡ଼ ସମ୍ପର୍କକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଆଗକୁ ଏହା କେଉଁ ରୂପ ନେଇ ଆସିବ ତାହାକୁ ସମସ୍ତେ ଅପେକ୍ଷା କରିଛନ୍ତି ।