ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୩୦ଟି ଯାକ ଜିଲ୍ଲା ଗସ୍ତ କରିଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ହେଲିକପ୍ଟର ଉଡ଼ା ବାବଦରେ କେତେ ଖର୍ଚ୍ଚ ହୋଇଛି? ଏ ନେଇ ବିରୋଧୀଙ୍କ ପକ୍ଷରୁ ଭିନ୍ନ ଭିନ୍ନ ବୟାନ ଆସିଛି । କିଏ କହୁଛନ୍ତି ୩୦୦ କୋଟି ତ ଆଉ କିଏ କହୁଛନ୍ତି ୫୦୦ କୋଟି । ତେବେ ବିରୋଧୀଙ୍କୁ ଆଜି ଟୁଇଟ୍ ଜରିଆରେ ଜବାବ ଦେଇଛନ୍ତି ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ।
ଶ୍ରୀମତୀ ସାହୁ ଲେଖିଛନ୍ତି ଯେ କୁଚକ୍ରୀ ଗୋଷ୍ଠୀଙ୍କର ମୁଣ୍ଡ ଖରାପ ହୋଇଗଲାଣି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଯେଉଁଭଳି ଭାବେ ଲୋକଙ୍କ ସମସ୍ୟା ବୁଝୁଛି ଓ ସମାଧାନ କରୁଛି ସେମାନଙ୍କର ମୁଣ୍ଡ କାମ କରୁନି । ସେଥିପାଇଁ ଇଆଡୁ ସିଆଡୁ ବୟାନ ଦେଉଛନ୍ତି । ଏମାନେ ଚାହୁଁ ନ ଥିଲେ ଲୋକଙ୍କ ସମସ୍ୟାର ସମାଧାନ ହେଉ, ସେଥିପାଇଁ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଚାଲିଛନ୍ତି ।
କିଏ କହୁଛି ହେଲିକପ୍ଟରରେ ଗସ୍ତ ବାବଦକୁ ୩୦୦ କୋଟି ଖର୍ଚ୍ଚ ହୋଇଛି ତ କିଏ କହୁଛି ୫୦୦ କୋଟି । ସେମାନଙ୍କ ନିଜ କଥାରେ ବି ତାଳମେଳ ନାହିଁ । ପ୍ରକୃତରେ ଗତ ୫ ବର୍ଷରେ ହେଲିକପ୍ଟରରେ ଗସ୍ତ ବାବଦକୁ ପ୍ରାୟ ୫୦ କୋଟି ଖର୍ଚ୍ଚ ହୋଇଛି । ଅର୍ଥାତ୍ ବର୍ଷକୁ ହାରାହାରି ୧୦ ରୁ ୧୨ କୋଟି ବ୍ୟୟ ହୋଇଛି ।
ଆସନ୍ତା ବିଧାନସଭା ଅଧିବେଶନରେ ମୁଁ ଏ ବାବଦରେ ସବୁ ତଥ୍ୟ ରଖିବି । ସେତେବେଳେ ଏମାନଙ୍କର ସବୁ ମିଥ୍ୟା ପ୍ରଚାର ଧରାପଡ଼ିଯିବ ଓ ମୁଖା ଖୋଲିଯିବ । ନିଜର ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏପରି ମିଥ୍ୟା ପ୍ରଚାର କରୁଛନ୍ତି, ସେମାନଙ୍କୁ ଲଜ୍ଜା ଲାଗିବା ଦରକାର ।
ଏମାନଙ୍କ ପାଖରେ ଯଦି ସାମାନ୍ୟ ଲଜ୍ଜା ଥିବ ତେବେ ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରୁଥିବାରୁ ଓଡ଼ିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବେ ।






