ଭୁବନେଶ୍ୱର: ଓଡ଼ିଶାର ବିକାଶ ଯାତ୍ରାରେ ବିରୋଧୀ ଖୁସି ନାହାନ୍ତି । ବିକାଶରେ ବାଧା ସୃଷ୍ଟି କରିବାରେ ସେମାନେ ଆନନ୍ଦ ପାଉଛନ୍ତି । ନିର୍ବାଚନ ଆସିଲେ ବିରୋଧୀ ଭିତ୍ତିହୀନ କାର୍ଯ୍ୟ କରିଥାନ୍ତି ଏବଂ ଜନତା ସେଥିପାଇଁ ସେମାନଙ୍କୁ ସବୁବେଳେ ପ୍ରତ୍ୟାଖ୍ୟାନ କରିଆସୁଛନ୍ତି । ଓଡ଼ିଶାବାସୀ ବିରୋଧୀ ଦଳଙ୍କର ଏହି ଜନବିରୋଧୀ ଓ ବିକାଶ ବିରୋଧୀ ରଣନୀତିକୁ ଭଲ ଭାବେ ବୁଝିଛନ୍ତି । ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ବନ୍ଦ କରିବାକୁ ଯେଉଁମାନେ ଚେଷ୍ଟା କରୁଛନ୍ତି, ଚକ୍ରାନ୍ତ କରୁଛନ୍ତି ଓଡ଼ିଶାବାସୀ ସେମାନଙ୍କୁ କେବେ କ୍ଷମା ଦେବେ ନାହିଁ । ଲୋକଙ୍କ ଅଭିଯୋଗର ସମାଧାନକୁ ଯେଉଁମାନେ ବିରୋଧ କରୁଛନ୍ତି, ଲୋକ ସେମାନଙ୍କୁ କେବେ କ୍ଷମା ଦେବେନି ।
ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ବିରୋଧୀ ଦଳଙ୍କୁ ଏଭଳି ଢ଼ଙ୍ଗରେ ସମାଲୋଚନା କରିଛନ୍ତି ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ, ଆମର କର୍ମୀ ଭାଇ ଭଉଣୀମାନେ ବିକାଶର ବାର୍ତ୍ତାକୁ ନେଇ ରାଜ୍ୟର ଘରେ ଘରେ ପହଞ୍ଚାଇବା ପାଇଁ କାମ କରନ୍ତୁ । ଘରେ ଘରେ ଶଙ୍ଖର ଜୟଘୋଷ ପାଇଁ ଆସନ୍ତୁ ସମସ୍ତେ ମିଶିକରି କାମ କରିବା ।
ନବୀନ ତାଙ୍କ ଭାଷଣ ଆରମ୍ଭରେ ବାପୁଜୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କହିଥିଲେ, ଗାନ୍ଧିଜୀ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ହୋଇ ରହିଆସିଛନ୍ତି । ସମାଜର ସବୁଠାରୁ ଗରିବ ଓ ଦୁର୍ବଳ ଲୋକର ସନ୍ତୋଷ ହିଁ ଗଣତନ୍ତ୍ରର ବଡ଼ ସଫଳତା । ଜନଜୀବନରେ କାର୍ଯ୍ୟ କରୁଥିବା ଆମ ସମସ୍ତଙ୍କ ପାଇଁ ଗାନ୍ଧିଜୀଙ୍କ ତଲିସମାନ ବାଟ ଦେଖାଇ ଆସୁଛି ।
ସାଧାରଣ ଲୋକର ଖୁସି ଆମର ସବୁଠାରୁ ବଡ଼ ଖୁସି । ବିଜୁ ଜନତା ଦଳ ଗରିବ ଲୋକଙ୍କ ପାଇଁ, ମା’ ମାନଙ୍କ ପାଇଁ, ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ କଲ୍ୟାଣ ପାଇଁ କାମ କରୁଛି । ବିଏସକେୱାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆଣିଛି । ୫-ଟି ସ୍କୁଲ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ଥିବା ତାରତମ୍ୟ ଦୂର କରିଛି ।
ମହିଳାମାନଙ୍କୁ ରାଜନୀତି କ୍ଷେତ୍ରରେ ସେମାନଙ୍କ ହକ୍ ଦେବା ବିଜୁ ବାବୁଙ୍କ ସ୍ୱପ୍ନ ଥିଲା । ଖୁସିର କଥା, ଆଜି ମା’ ମାନଙ୍କ ପାଇଁ ସଂସଦ ଓ ବିଧାନସଭାରେ ଏକ ତୃତୀୟାଂଶ ସଂରକ୍ଷଣ ଆଇନ ଆସିଲା । ଆମର ବହୁ ଦିନର ଦାବି ପୂରଣ ହେଲା । ଓଡ଼ିଶା ଆଜି ରୂପାନ୍ତରରଣ କ୍ଷେତ୍ରରେ ଆଗେଇ ଚାଲିଛି । ଏ ରୂପାନ୍ତରଣ ସାଧାରଣ ଲୋକର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଏକ ଆକାଂକ୍ଷୀ ଓଡ଼ିଶା ଗଠନ ପାଇଁ ଶକ୍ତି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସ୍ଥାନୀୟ ୫୭ ନଂ ୱାର୍ଡସ୍ଥିତ ବରଗଡ଼ ବ୍ରିଟ୍ କଲୋନୀ ନେତାଜୀ ପଡ଼ିଆରୁ ଏହି ପଦଯାତ୍ରାର ଶୁଭାରମ୍ଭ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱରର ତିନି ବିଧାୟକ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର, ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ସମଗ୍ର ରାଜ୍ୟରେ ଅକ୍ଟୋବର ୧୧ ତାରିଖ ଲୋକପ୍ରକାଶ ନାରାୟଣ ଜୟନ୍ତୀ ଯାଏ ଏହି ପଦଯାତ୍ରା ଚାଲିବ ।






