ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର କମିସନର ତଥା ଶାସନ ସଚିବ ଭାବେ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ୍ ଆଜି ଦାୟିତ୍ୱ ନେଇଛନ୍ତି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିକାଶ ଦିଗରେ କାମ କରିବା ଏକ ଗୌରବର କଥା ଏବଂ ଏହି ଦାୟିତ୍ୱକୁ ଆନ୍ତରିକତାର ସହ ସମ୍ପାଦନ କରିବେ ସେ କହିଛନ୍ତି ।
ଏହି ଅବସରରେ ଲୋକସଭା ଭବନଠାରେ ବିଭାଗୀୟ ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ, ସ୍ୱତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ, ଯୁଗ୍ମ ସଚିବ ଅତସୀ ଦାସ, ଯୁଗ୍ମ ସଚିବ ତଥା ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ଅରୁଣା ମହାନ୍ତି, ଉତ୍କଳ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଡ. ପ୍ରସନ୍ନ କୁମାର ସ୍ୱାଇଁଙ୍କ ସମେତ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହାପରେ ଶ୍ରୀମତୀ କାର୍ତ୍ତିକେୟନ୍ ବିଭାଗର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଅଧିକାରୀମାନଙ୍କଠାରୁ ସହଯୋଗ କାମନା କରିଥିଲେ ।