ଭୁବନେଶ୍ୱର: ଆସନ୍ତା ୨୪ ରୁ ୨୬ ତାରିଖ ତିନି ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସୋଆ ସାହିତ୍ୟ ଉତ୍ସବ । ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପକ୍ଷରୁ ଦ୍ୱିତୀୟ ଥର ପାଇଁ ଏହି ସାହିତ୍ୟ ଉତ୍ସବ ଆୟୋଜନ କରାଯାଇଛି । ଦେଶର ସାହିତ୍ୟ, ସଂସ୍କୃତି, କଳା, ମଞ୍ଚ, ସାମ୍ବାଦିକତା ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଅଧିକ ଉଜ୍ଜଳ ତାରକା ଏହି ଉତ୍ସବରେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା ଓ ମତ ବିନିମୟ କରିବେ ।
ଏହି ଉତ୍ସବର ଟ୍ୟାଗ୍ ଲାଇନ୍ ରହିଛି ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍’ (ଶବ୍ଦ ଓ ଭାବନାର ଉତ୍ସବ) । ସୋଆ ପରିଚାଳିତ ସେଂଟର ଫର ପି୍ରଜରଭେସନ, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର୍ ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ) ପକ୍ଷରୁ ଏହା ଆୟୋଜନ କରାଯାଇଛି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି ।
ଚଳିତ ସୋଆ ସାହିତ୍ୟ ଉତ୍ସବର ଶୀର୍ଷକ ରହିଛି ‘ଭାରତୀୟ ସଂସ୍କୃତି, ସମାଜ ଓ ସାହିତ୍ୟ: ସମ୍ଭାବନା ଓ ଆହ୍ୱାନ’ । ଏହି ଉତ୍ସବକୁ ଓଡ଼ିଶାର ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ରାୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବା ବେଳେ ଏଥିରେ ସମାଜତତ୍ୱବିତ୍ ଓ ସମାଲୋଚକ ପ୍ରଫେସର ଆଶିଷ ନନ୍ଦୀ, ବିଶିଷ୍ଟ ଅଭିନେତ୍ରୀ ଦିବ୍ୟା ଦତ୍ତ, ସାହିତ୍ୟ ଅକାଦେମୀର ଅଧ୍ୟକ୍ଷ ମାଧବ କୌଶିକ ଓ ସଚିବ କେ. ଶ୍ରୀନିବାସରାଓ ଉପସ୍ଥିତ ରହିବେ । ସେହିପରି ନଭେମ୍ବର ୨୬ ତାରିଖରେ ଉଦ୍ୟାପନୀ ଉତ୍ସବରେ ପ୍ରସିଦ୍ଧ ପଞ୍ଜାବୀ ସାହିତ୍ୟିକ ଶ୍ରୀ ସୁରଜିତ ପତର ଏବଂ ସାହିତ୍ୟ ଏକାଡେମୀର ଉପସଭାପତି ଶ୍ରୀମତି କୁମୁଦ ଶର୍ମା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଉତ୍ସବରେ ଓଡ଼ିଶାର ୧୧ ଜଣ ସାହିତ୍ୟିକ ଓ ମଂଚ ବିଶେଷଜ୍ଞଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ । ସେମାନେ ହେଲେ ପ୍ରଖ୍ୟାତ କବି ଓ କଥାକାର ରମାକାନ୍ତ ରଥ,ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଏବଂ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ବିଭୂତି ପଟ୍ଟନାୟକ, ପ୍ରତିଷ୍ଠିତ କାହାଣୀକାର ଅଚ୍ୟୁତାନନ୍ଦ ପତି, ଗାଳ୍ପିକ ସାତକଡି ହୋତା, ପ୍ରସିଦ୍ଧ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ, ବରିଷ୍ଠ ଅନୁବାଦକ ଓ କବି ଶ୍ରୀନିବାସ ଉଦ୍ଗାତା, କବି, ଗାଳ୍ପିକ ଓ ନାଟ୍ୟକାର ଡକ୍ଟର ଜଗନ୍ନାଥ ପ୍ରସାଦ ଦାଶ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ପ୍ରଫେସର ଦାଶରଥୀ ଦାସ, ବିଶିଷ୍ଟ ନିର୍ଦ୍ଦେଶକ ଓ ଅଭିନେତା ଅନନ୍ତ ମହାପାତ୍ର ।
ଉତ୍ସବରେ ଯୋଗ ଦେଉଥିବା ସାହିତ୍ୟିକ ଓ ସଂସ୍କୃତି କ୍ଷେତ୍ରର ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ମଧ୍ୟରେ ଦାମୋଦର ଖାଡ୍ସେ, ଦାମୋଦର ମୌଜୋ, ଗିରିଶ କାଶରଭାଲି, ଲୀଲାଧର ମାଣ୍ଡଲୋଇ, ଶୋଭନା ନାରାୟଣ, ଯତୀନ ଦାସ, ସୁବୋଧ ସରକାର, ହରପ୍ରସାଦ ଦାସ, ମୃତ୍ୟୁଞ୍ଜୟ କୁମାର ସିଂହ, ପଲ୍ ଜାକାରିଆ, ପଙ୍କଜ ପରାଶର, ପ୍ରୀତି ସେନୟ, ପ୍ରଶାନ୍ତ ନନ୍ଦ, ପ୍ରବୋଧ ପାରିଖ, ସନ୍ତୋଷ ଚୌବେ, ଶରନ୍ କୁମାର ଲିମ୍ବାଲେ, ଅତୁଲ ତିୱାରି, ବଳରାମ, ଡକ୍ଟର ସୌଭାଗ୍ୟ କୁମାର ମିଶ୍ର, ସବ୍ୟସାଚୀ ମହାପାତ୍ର ଏବଂସୁଶାନ୍ତ ମଣି ଅଛନ୍ତି ।
ତିନି ଦିନର ଏହି ସାହିତ୍ୟ ଉତ୍ସବରେ ୬୦ଟି ସେସନ୍ ରହିଥିବା ବେଳେ ଉତ୍ସବର ପ୍ରଥମ ଦିନରେ ପ୍ରଥିତଯଶା କବି ଜୟନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ପ୍ରାଚୀନ ଗ୍ରନ୍ଥ ସମ୍ପାଦନା, ଗବେଷଣା, ଡିଜିଟାଇଜେସନ୍, ସଂପାନ, ପାଠଚକ୍ରର ଆୟୋଜନ ଏବଂ କଳା, ସାହିତ୍ୟ ଓ ସଂସ୍କୃତି ବିଷୟରେ ଚର୍ଚ୍ଚା ସହିତ ଭାରତୀୟ କଳା ଓ ସାହିତ୍ୟକୁ ଅଧିକ ସମୃଦ୍ଧ ଓ ପ୍ରସ୍ଫୁଟିତ କରିବା ଦିଗରେ କାର୍ଯ୍ୟ କରିବା ପ୍ରାଚୀନ୍ ର ମୁଖ୍ୟ ଆଭିମୁଖ୍ୟ ବୋଲି କେନ୍ଦ୍ରର ମୁଖ୍ୟ ତଥା ସୋଆ ସାହିତ୍ୟ ଉତ୍ସବର ନିର୍ଦ୍ଦେଶିକା ତଥା କ୍ୟୁରେଟର୍ ଡକ୍ଟର ଗାୟତ୍ରୀବାଳା ପଣ୍ଡା କହିଛନ୍ତି ।
ଏହି ଉତ୍ସବ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରର ବିଶିଷ୍ଟ ଚିନ୍ତକମାନଙ୍କ ପାଇଁ ମତ ଆଦାନ ପ୍ରଦାନର ଏକ ପ୍ରମୁଖ ପୀଠ ହୋଇପାରିବ ବୋଲି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି । ସୋଆ ଅଧିନରେ ୧୮ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ପ୍ରାଚୀନ ଏହା ମଧ୍ୟରୁ ଅନ୍ୟତମ ଏବଂ ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଅନେକ କାର୍ଯ୍ୟ ପ୍ରାଚୀନ୍ ମାଧ୍ୟମରେ କରାଯାଉଥିବା କୁଳପତି କହିଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ,୨୦୨୦ ଫେବୃୟାରୀ ୧ ଓ ୨ ତାରିଖରେ ସୋଆ ପକ୍ଷରୁ ପ୍ରଥମ ସାହିତ୍ୟ ଉତ୍ସବ ଆୟୋଜିତ ହୋଇଥିଲା ଏବଂ ଏଥିରେ ୧୦୦ ରୁ ଊଦ୍ଧ୍ୱର୍ ସାହିତ୍ୟିକ, କବି ଓ କଳାକାର ଯୋଗ ଦେଇଥିଲେ ।






