ଭୁବନେଶ୍ୱର: ବିରୋଧୀ ଦଳଙ୍କ ଚାପ କାମ ଦେଲା । ଆଦିବାସୀଙ୍କ ଜମି ହସ୍ତାନ୍ତର ପ୍ରସଙ୍ଗରେ ୧୦ ଦିନ ତଳେ ରାଜ୍ୟ କ୍ୟାବିନେଟ୍ ରେ ହୋଇଥିବା ନିଷ୍ପତ୍ତିରୁ ସରକାର ଓହରିଛନ୍ତି । ସଂଶୋଧିତ ଆଦିବାସୀ ଜମି ହସ୍ତାନ୍ତର ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆଦିବାସୀ ଉପଦେଷ୍ଟା ପରିଷଦକୁ ପଠାଇଛନ୍ତି । ଆଦିବାସୀ ଉପଦେଷ୍ଟା ପରିଷଦ ଏହାର ତର୍ଜମା କରିବେ । ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ କ୍ୟାବିନେଟ୍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।
ଅଣ ଆଦିବାସୀଙ୍କୁ ଆଦିବାସୀଙ୍କ ଜମି ବିକ୍ରୀ ସକାଶେ ରେଗୁଲେସନ-୨, ୧୯୫୬ ଆଇନର ସଂଶୋଧନ ପ୍ରସ୍ତାବକୁ ଗତ ୧୪ ତାରିଖରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମଂଜୁରି ମିଳିଥିଲା । ସଂଶୋଧିତ ଆଇନରେ ଅଣ ଆଦିବାସୀଙ୍କୁ ଆଦିବାସୀମାନେ ଜମି ବିକ୍ରୀ ବା ସମ୍ପତ୍ତି ହସ୍ତାନ୍ତର କରିପାରିବାର ଅନୁମତି ଥିଲା । ତେବେ ଉକ୍ତ ନିଷ୍ପତ୍ତିକୁ ବିରୋଧ ଆରମ୍ଭ ହେବା ମାତ୍ରେ ୧୬ ତାରିଖରେ ରାଜ୍ୟ ସରକାର ତାହା ସ୍ଥଗିତ ରଖିଥିଲେ । ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ତାଙ୍କ ସୋସିଆଲ୍ ମିଡିଆ ହାଣ୍ଡଲ୍ ରେ ଏହି ସୂଚନା ଦେଇଥିଲେ ।
ତେବେ ରାଜ୍ୟ ସରକାରଙ୍କ ସ୍ଥଗିତ ନିଷ୍ପତ୍ତିକୁ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଗ୍ରହଣ କରି ନ ଥିଲେ । ସ୍ଥଗିତ ନୁହେଁ, ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ସେମାନେ ଅଡି ବସିଥିଲେ । ଆଦିବାସୀଙ୍କ ଜମି ହସ୍ତାନ୍ତର ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ବିଧାନସଭା କମ୍ପେଇଥିଲେ । ଗୃହ କାର୍ଯ୍ୟ କରିବାକୁ ଦେଲେ ନାହିଁ । ଦେଢ଼ ଦିନ ଧରି ବିଧାନସଭାକୁ ଅଚଳ କରିଥିଲେ । ଏପରିକି ବିଜେପି ବିଧାୟକମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।