ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ୩୦ ଦିନ ଚାଲିବାର ଥିଲା । ହେଲେ ୪ ଦିନରେ ସରିଯାଇଛି ଅଧିବେଶନ । ଏହି ୪ ଦିନରୁ ଗୃହ କାର୍ଯ୍ୟ ମାତ୍ର ଦେଢ଼ ଦିନ ଚାଲିଛି । ଗୃହରେ ଆଉ କୌଣସି ବିଜନେସ୍ ନ ଥିବାରୁ ଏବଂ ବିଧାୟକମାନେ ନିଜ ଅଞ୍ଚଳରେ ବ୍ୟସ୍ତ ଥିବାରୁ ବିଧାନସଭାର ଏହି ଅଧିବେଶନକୁ ବନ୍ଦ କରାଗଲା ବୋଲି ସରକାରଙ୍କ ପକ୍ଷରୁ ସଫେଇ ଦିଆଯାଇଛି ।
ଚଳିତ ୨୧ ତାରିଖ ଦିନ ବିଧାନସଭା ଅଧିବେଶନ ଆରମ୍ଭ ହୋଇଥିଲା । ଡିସେମ୍ବର ୩୦ ଯାଏଁ ଚାଲିଥାନ୍ତା । ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ ଥିଲା । ହେଲେ ୪ଟି କାର୍ଯ୍ୟ ଦିବସରୁ ମାତ୍ର ଦେଢ଼ ଦିନର କାର୍ଯ୍ୟରେ ଅଧିବେଶନ ସରିଗଲା । ପ୍ରଥମ ଦିନ ଦିବଙ୍ଗତ ସଦସ୍ୟ ଓ ସୁରକ୍ଷା କର୍ମୀଙ୍କ ସମ୍ମାନାର୍ଥେ ଗୃହ ମୁଲତବୀ ରହିଥିଲା । ଦ୍ୱିତୀୟ ଦିନରେ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଆଦିବାସୀଙ୍କ ଜମି ବିକ୍ରୀ ପ୍ରସଙ୍ଗ ଉଠାଇ ପ୍ରବଳ ହଟ୍ଟଗୋଳ କରିବାରୁ ଦିନ ତମାମ ଗୃହ ଚାଲି ପାରି ନ ଥିଲା । ତୃତୀୟ ଦିନର ପ୍ରଥମାର୍ଦ୍ଧ ମଧ୍ୟ ସେମିତି ଚାଲିଗଲା । ଅପରାହ୍ନ ଅଧିବେଶନରେ କେବଳ ଭୂସଂସ୍କାର ସଂଶୋଧନ ବିଲ୍ ଗୃହରେ ଆଗତ ହୋଇଥିଲା ।
ଆଜି ଚତୁର୍ଥ ତଥା ଶେଷ ଦିନରେ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିଲା । ଶୁନ୍ୟକାଳ ମଧ୍ୟ ଚାଲିଥିଲା । ଏହାପରେ ଆଦିବାସୀ ଜମି ବିକ୍ରୀ ପ୍ରସଙ୍ଗରେ ବିରୋଧୀ ଦଳ ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ସରଗରମ ଆଲୋଚନା ହୋଇଥିଲା ।
ଅପରାହ୍ନ ଅଧିବେଶନରେ ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଅଧିବେଶନ ସମାପ୍ତ ପାଇଁ ପ୍ରସ୍ତାବ ଆଣିଥିଲେ । ଏହା ସପକ୍ଷରେ ବହୁମତ ପ୍ରକାଶ ପାଇବା ପରେ ବାଚସ୍ପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ।
ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ଏହାକୁ ଜନବିରୋଧୀ କହି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବିରୋଧୀ ଦଳଙ୍କ ପ୍ରଶ୍ନରେ ଭୟଭୀତ ହୋଇ ସରକାର ବିଧାନସଭା ବନ୍ଦ କରିଦେଇଥିବା ସେ ଅଭିଯୋଗ କରିଛନ୍ତି । ସେହିଭଳି ଏହି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଥିବା ସେ କହିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ଅଧିବେଶନରେ ୪ଟି ତାରକା ଓ ୫୯୯ ଟି ଅଣତାରକା ପ୍ରଶ୍ନର ଉତ୍ତର ରଖାଯାଇଥିଲା । ଗୋଟିଏ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ବେଳେ ୫୪ ଟି କାଗଜ, ୧୭ଟି ବାର୍ଷିକ ରିପୋର୍ଟ, ଗୋଟିଏ କମିଟି ରିପୋର୍ଟ ଉପସ୍ଥାପିତ ହୋଇଥିଲା । ଗୋଟିଏ ବିଲ୍ ଉପସ୍ଥାପିତ ହୋଇ ଗୃହର ଅନୁମୋଦନ ଲାଭ କରିଥିଲା । ୫ଟି ବେସରକାରୀ ବିଲ୍ ଆଗତ ହୋଇଥିବା ବେଳେ ଗୋଟିଏ ବିଲ୍ ଉପରେ ଆଲୋଚନା ହୋଇଥିଲା ।






