-ଯାତ୍ରୀଙ୍କୁ ମିଳିବ ଏୟାରପୋର୍ଟ ଭଳି ସୁବିଧା
-ଯାତ୍ରୀଙ୍କ ସୁରକ୍ଷା ଏବଂ ଆନୁସଙ୍ଗିକ ବ୍ୟବସ୍ଥାକୁ ଗୁରୁତ୍ୱ
ଭୁବନେଶ୍ୱର: ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲ୍(ଆଇଏସବିଟି)ର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶରେ ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଆଜି ଭୋର୍ ୫ଟାରେ ଏଠାକୁ ଆସି ଏହାର ଅଗ୍ରଗତି ସମୀକ୍ଷା କରିଥିଲେ । ଫେବ୍ରୁଆରୀ ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସେ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ନିର୍ମାଣାଧୀନ ବରମୁଣ୍ଡା ବସ୍ ଟର୍ମିନାଲ୍ ପରିଦର୍ଶନ ବେଳେ ଶ୍ରୀ ପାଣ୍ଡିଆନ୍ ଯାତ୍ରୀମାନଙ୍କ ସୁରକ୍ଷା ଦିଗକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ଯାତ୍ରୀମାନଙ୍କ ପ୍ରତୀକ୍ଷା ଓ ବିଶ୍ରାମ ସ୍ଥଳ, ପରିମଳ ବ୍ୟବସ୍ଥା, ବସ୍ ରହିବା ଜାଗା(ବେ) ତଥା ଆଲୋକୀକରଣ ବ୍ୟବସ୍ଥାର ଟିକନିକ୍ ତଦାରଖ କରିଥିଲେ । ଅପରେସନ୍ କଣ୍ଟ୍ରୋଲ୍ ସେଣ୍ଟର(ଓସିସି) କାର୍ଯ୍ୟକୁ ସେ ପ୍ରଶଂସା କରିବା ସହ ଏହାର ସୁରକ୍ଷା ପାଇଁ ହାଇଟେକ୍ ବ୍ୟବସ୍ଥା ଓ ଦକ୍ଷ ନେତୃତ୍ୱ ପାଇଁ ପରାମର୍ଶ ଦେଇଥିଲେ । ଏଠାରେ ଯାତ୍ରୀମାନଙ୍କ ପାଇଁ ଓଡ଼ିଆରେ ସମସ୍ତ ସୂଚନାଫଳକ ଏବଂ ମାନଚିତ୍ର ବ୍ୟବସ୍ଥା ରହିବ । ବାକି ରହିଥିବା କାମକୁ ତ୍ୱରାନ୍ୱିତ କରି ଫେବ୍ରୁଆରୀ ମଧ୍ୟ ସୁଦ୍ଧା ଲୋକାର୍ପଣ ପାଇଁ ପ୍ରସ୍ତୁତ କରିବାକୁ ସେ ବିଡିଏ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

୧୫. ୫ ଏକର ଜାଗାରେ ନିର୍ମିତ ହୋଇଛି ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ । ବିଡିଏ ହାତରେ ଏହାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହା କେବଳ ଓଡ଼ିଶା ନୁହେଁ, ପଡ଼ୋଶୀ ରାଜ୍ୟମାନଙ୍କ ପାଇଁ ଏକ ଟ୍ରାନଜିଟ୍ ପଏଣ୍ଟ ହେବ । ଯାତ୍ରୀମାନଙ୍କ ପାଇଁ ଏଥିରେ ବିଭିନ୍ନ ବ୍ୟବସ୍ଥା ରହିବ ।

ବିମାନବନ୍ଦରର ସୁବିଧା ରହିବ । ପ୍ରିପେଡ୍ ଅଟୋ ଏବଂ ଟ୍ୟାକ୍ସି ବ୍ୟବସ୍ଥା ରହିବ । ଅଫିସ୍ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଫୁଡକୋର୍ଟ ଏବଂ ବ୍ୟବସାୟିକ ସ୍ଥାନର ବ୍ୟବସ୍ଥା ରହିବ । ଅତ୍ୟାଧୁନିକ ଆହାର କେନ୍ଦ୍ର, ରେଷ୍ଟୁରାଣ୍ଟ, ବହୁତଳ କାର୍ ପାର୍କିଂ, ପିକ୍ ଅପ୍/ ଡ୍ରପ୍ ଅପ୍ ବ୍ୟବସ୍ଥା, ସୋଲାର୍ ପ୍ୟାନେଲ୍ ସିଷ୍ଟମ୍ ଏବଂ ସେୱେଜ୍ ଟ୍ରିଟମେଣ୍ଟ୍ ପ୍ଲାଣ୍ଟ ମଧ୍ୟ ରହିବ । ସର୍ବୋପରି ଏହା ଯାତ୍ରୀମାନଙ୍କୁ ଏକ ବିମାନବନ୍ଦରର ଅନୂଭୂତି ପ୍ରଦାନ କରିବା ସହ ଆରାମଦାୟକ ଯାତ୍ରାର ଅନୁଭୂତି ଦେବ ।

ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏଠାରେ ପୁଲିସ ସେବା ବ୍ୟବସ୍ଥା, ଟର୍ମିନାଲ୍ ସୁରକ୍ଷା ପାଇଁ ପ୍ରଶାସନିକ ବିଲଡିଂ, ଯାତ୍ରୀଙ୍କ ପାଇଁ ଶୌଚାଳୟ, ବୟସ୍କ ଯାତ୍ରୀଙ୍କ ପାଇଁ ର୍ୟାମ୍ପ୍ ବ୍ୟବସ୍ଥା ଏବଂ ଶିଶୁଙ୍କୁ ଧରି ଯାତ୍ରା କରିବାକୁ ଥିବା ମହିଳାଙ୍କ ପାଇଁ ଫିଡିଂ ରୁମ୍ ବ୍ୟବସ୍ଥା ରହିଛି । ଏକ ପ୍ରାଥମିକ ସ୍ୱାସ୍ଥ୍ୟ କ୍ଲିନିକ୍, ପିଲାଙ୍କ ପାଇଁ ଗୋଟିଏ ଖେଳ ଜାଗା ଏବଂ ସିଜନାଲ୍ ବସ୍ ମାନଙ୍କ ପାଇଁ ଅତିରିକ୍ତ ପାର୍କିଂ ବ୍ୟବସ୍ଥା ମଧ୍ୟ କରାଯାଇଛି ।







