ଭୁବନେଶ୍ୱର: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ରାୟ ଗତକାଲି ଆସିଛି । ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏସଆଇଟି ଦ୍ୱାରା ଗିରଫ ସରୋଜ ସେଠୀ ହତ୍ୟାକାରୀ ବୋଲି ନୟାଗଡ଼ ସ୍ପେଶାଲ୍ ଚିଲଡ୍ରେନ୍ କୋର୍ଟ ତଥ୍ୟ ପ୍ରମାଣ ପାଇବା ପରେ ସରୋଜଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି । ତେବେ କୋର୍ଟଙ୍କ ରାୟ ପରେ ବି ମାମଲାଟି ରାଜନୈତିକ ଅଳିନ୍ଦରୁ ମୁକୁଳି ପାରିନାହିଁ । ଏହି ମାମଲାରେ ବିଜେପିର ହୀନ ରାଜନୀତି ଧରାପଡ଼ିଲା ବୋଲି ବିଜେଡି ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କୁ ମାମଲାରେ ଟାଣି ରଖିବା ପାଇଁ ବିଜେପି ତା’ର ଆଭିମୁଖ୍ୟରେ କିନ୍ତୁ ଅଟଳ ରହିଛି । ଏହିି ମାମଲାକୁ ପ୍ରଥମରୁ ରାଜନୈତିକ ରଙ୍ଗ ଦେବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଅସଲ ଖଳନାୟକ ଦର୍ଶାଇ ବିଜେଡି କାଉଣ୍ଟର ଆଟାକ୍ ଆରମ୍ଭ କରିଛି ।
ଏହି ପ୍ରସଙ୍ଗ ଆଜି ବିଧାନସଭାକୁ ମଧ୍ୟ ହୁଲସ୍ତୁଲ କରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀଙ୍କଠାରୁ କ୍ଷମା ଦାବ କରିଛନ୍ତି । ନିଜ ନିଜ ଆସନରେ ଛିଡ଼ା ହୋଇ ବିଜେପି ହୀନ ରାଜନୀତିର ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକମାନେ । ବିଧାନସଭା ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ତେବେ କଥା ସେତିକିରେ ସୀମିତ ନାହିଁ । ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ କଡ଼ା ଜବାବ ଦେଇଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ରଖିଲା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଲ୍ଲେଖ କରିବା ବେଳେ ପରୀ ପ୍ରସଙ୍ଗର ଅବତାରଣା କରି ବିରୋଧୀ ଦଳର ଆଭିମୁଖ୍ୟକୁ ନାପସନ୍ଦ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପରୀ ଭଳି ସମ୍ବେଦନଶୀଳ ମାମଲାରେ ବିରୋଧୀ ରାଜନୀତି କରୁଛନ୍ତି । ପରୀ ଘଟଣାରେ ଗତକାଲି ଦୋଷୀ ଦଣ୍ଡ ପାଇଛି । ତେଣୁ ଏହାକୁ ନେଇ ଆଉ ରାଜନୀତି ନ କରିବାକୁ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ।






