ନୂଆଦିଲ୍ଲୀ/ଭୁବନେଶ୍ୱର: ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରିଛି ବିଜେଡ଼ି । ଆଜି ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ରାଜ୍ୟସଭା ନେତା ଡ. ସସ୍ମିତ୍ ପାତ୍ର ତାଙ୍କ ଦଳ ଏବଂ ଦଳର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଏହାକୁ ସମର୍ଥନ କରିଥିଲେ ।ଏହି ଅବସରରେ ଓଡ଼ିଶା ମାଟିର ଝିଅ ତଥା ଦେଶର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ “ମିଶୁ ମୋର ଦେହ ଏ ଦେଶ ମାଟିରେ’.. ପଦ୍ୟାଂଶର ଉଦ୍ଧୃତ କରିଥିବାରୁ ସେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରି ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।
ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଡ. ପାତ୍ର ଓଡ଼ିଶାର କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅସମ୍ପୂର୍ଣ୍ଣ କଟକ-ସମ୍ବଲପୁର ଜାତୀୟ ରାଜପଥର ନିର୍ମାଣ ସମ୍ପୂର୍ଣ୍ଣ କରିବା, ଭୁବନେଶ୍ୱର ଆଉଟର ରିଙ୍ଗ୍ ରୋଡ୍ ନିର୍ମାଣ ଏବଂ କୋଷ୍ଟାଲ୍ ହାଇୱେ ନିର୍ମାଣ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେହିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ଆବଶ୍ୟକ ୭ ଲକ୍ଷ ଗୃହ, ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ, ମୁଣ୍ଡାରି, ଭୂମିଜ, କୁଇ ଏବଂ ସଉରା ଆଦି ସମ୍ପ୍ରଦାୟକୁ ସାମିଲ କରିବା ଏବଂ କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର ତଥା କେନ୍ଦୁପତ୍ର ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ଦାବି ରଖିଥିଲେ ।
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ପ୍ରଶଂସା କରି ଡ. ପାତ୍ର ତାଙ୍କର ବିବୃତି ଶେଷ କରିଥିଲେ । ସେ କହିଥିଲେ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ସେ ହେଉଛନ୍ତି ତିନି ପ୍ରତିରକ୍ଷା ବାହିନୀର ସୁପ୍ରିମ୍ କମାଣ୍ଡର । ଯିଏ ଜେଟ୍ ଫାଇଟରରେ ଉଡ଼ିଛନ୍ତି । ଏହା କମ ବଡ଼ ଗୌରବର କଥା ନୁହେଁ ।






