ଭୁବନେଶ୍ୱର: ସମାଜର ତଳସ୍ତରର ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ଯୋଜନା ହୋଇଥାଏ । ଏହି ଯୋଜନାଗୁଡ଼ିକର ସଫଳ ରୂପାୟନ ପାଇଁ ପ୍ରଶାସନ କଳ ଅଛି । ନୀତି ନିୟମ ଭିତରେ ସରକାରୀ ବାବୁମାନେ ନିଜ ଦାୟିତ୍ୱ ତୁଲାଇବା କଥା । ଜନସାଧାରଣଙ୍କ ପ୍ରତି ସମ୍ବେଦନଶୀଳ ହେବା ସବୁଠାରୁ ବଡ଼କଥା । ଏହା ହିଁ ସେମାନଙ୍କ ଦକ୍ଷତାର ବଡ଼ ମାପକାଠି ବୋଲି କୁହାଯିବ । ମାତ୍ର କିଛି ମୁଷ୍ଟିମେୟ ଅଧିକାରୀ ଓ କର୍ମଚାରୀ ଏହି ବ୍ୟବସ୍ଥାକୁ ନଷ୍ଟଭ୍ରଷ୍ଟ କରିଦେଲେଣି । ଦୁର୍ନୀତିରେ ବୁଡି ରହିଥିବାରୁ ଲୋକଙ୍କ କଥା ଶୁଣିବାକୁ ସେମାନଙ୍କର ସମୟ ନାହିଁ । ସରକାରୀ ଯୋଜନାକୁ ବାଟମାରଣା କରି ରାଜଧାନୀରେ ପ୍ଲଟ୍, ଫ୍ଲାଟ୍ କିଣିବା ଉପରେ ସେମାନଙ୍କର ଧ୍ୟାନ । ୫-ଟି ବ୍ୟବସ୍ଥାକୁ ସେମାନଙ୍କର ଖାତିର ନାହିଁ । ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ଅସହାୟ ଅବସ୍ଥାରେ ବଞ୍ଚୁଥିବା ରାଜ୍ୟର ବରିଷ୍ଠ ପ୍ରତିଭାମାନଙ୍କୁ ମଧ୍ୟ ଏହି ବର୍ଗର ବାବୁମାନେ ଅସମ୍ମାନ ଓ ହତାଦର କରିବାକୁ ସାହାସ କରୁଛନ୍ତି ।

ଲକ୍ଷ୍ମୀଧର ସାହୁ । ବୟସ ୬୭ । ଓଡ଼ିଶା ସାହିତ୍ୟ ଏକାଡେମୀ ସ୍ୱୀକୃତିପ୍ରାପ୍ତ ଲେଖକ । ୨୫ରୁ ଅଧିକ ସାଂସ୍କୃତିକ ଅନୁଷ୍ଠାନରୁ ମାନପତ୍ର ପାଇଛନ୍ତି । ୧୫ ରୁ ଅଧିକ ଉଚ୍ଚ ମାନର ଗବେଷଣାତ୍ମକ ଗ୍ରନ୍ଥ ଲେଖିଛନ୍ତି । ବୟସର ଅପରାହ୍ନ ଛୁଉଁଥିବା ଲକ୍ଷ୍ମୀଧର ବାବୁ ହୃଦରୋଗ, ମଧୁମେହ, ଉଚ୍ଚ ରକ୍ତଚାପ, ମୂତ୍ର ରୋଗରେ ଆକ୍ରାନ୍ତ । ଚିକିତ୍ସା ପାଇଁ ପାଖରେ ଟଙ୍କାଟେ ନାହିଁ । ଏ ପର୍ଯ୍ୟନ୍ତ ଧାରକରଜରେ ଔଷଧ କିଣି ଖାଉଛନ୍ତି । ଦେଖାଶୁଣା କରିବାକୁ ବି କେହି ନାହାନ୍ତି । ସମ୍ପୂର୍ଣ୍ଣ ନିଃସହାୟ ।
ଲକ୍ଷ୍ମୀଧର ବାବୁ କଳାକାର ଭତ୍ତା ଓ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଦୀର୍ଘ ବର୍ଷ ଧରି ପ୍ରଶାସନକୁ ଆବେଦନ କରି ଆସୁଛନ୍ତି । ଏହି ଭତ୍ତା ପାଇବାକୁ ସେ ହକଦାର ଥିଲେ ମଧ୍ୟ ସରକାରୀ ବ୍ୟବସ୍ଥା ଭିତରେ ତାଙ୍କୁ ବାରପିଣ୍ଡା ହେବାକୁ ପଡ଼ିଛି । ମାତ୍ର ତାଙ୍କ କଥା କେହି ଶୁଣିନାହାନ୍ତି । ସବୁଠି ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଅସହାୟ ଅବସ୍ଥାରେ କଷ୍ଟସାଧ୍ୟ ଜୀବନ ଜୀଉଁଥିବା ଏହି ସ୍ୱାଭିମାନୀ ମଣିଷଟି ଶେଷରେ ନିଜର ଫେସବୁକ୍ ଜରିଆରେ ନିଜ ପାଇଁ ନ୍ୟାୟଭିକ୍ଷା କରିଛନ୍ତି ।
‘ରାଜନୀତିର ଅନ୍ଧଗଳିରେ ସବୁଠି ଲାଞ୍ଚ ଓ ତୋଷାମଦ । ଯେଉଁଥିରେ ମୁଁ ଅପାରଗ । ସେଥିପାଇଁ କ’ଣ ମୁଁ କଳାକାର ଭତ୍ତା କିମ୍ବା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଯୋଗ୍ୟ ନୁହେଁ? ଏଥିପାଇଁ ମୁଁ ସରକାରଙ୍କ ଦରବାରରେ ଏବଂ ଜନତା ଦରବାରରେ ନ୍ୟାୟ ମାଗୁଛି’ ବୋଲି ଲେଖିଛନ୍ତି ଲକ୍ଷ୍ମୀଧର ବାବୁ । ଫେସବୁକ୍ ରେ ତାଙ୍କର ଏହି ପୋଷ୍ଟକୁ ବହୁ ମାତ୍ରାରେ ସେୟାର କରିବାକୁ ସେ ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି । ସରକାରଙ୍କ ଦୃଷ୍ଟିକୁ ଆସିଲେ କାଳେ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଏହି ଅସହାୟ ବୃଦ୍ଧ ।








