ଭୁବନେଶ୍ୱର: ବରିଷ୍ଠ ନେତା ଦେବାଶିଷ ନାୟକ ଆଜି ବିଜେପିରେ ଯୋଗଦେଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବାର କିଛି ସମୟ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସଭାପତି ମନମୋହନ ସାମଲ ତାଙ୍କୁ ‘ପଦ୍ମ’ ଧରାଇଛନ୍ତି । ତାଙ୍କ ସହ କଂଗ୍ରେସର ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକଦା ଖାସ୍ ଅନୁଗତ ଦେବାଶିଷ ନାୟକ ବରୀ ବିଧାନସଭା ଆସନରୁ ୨୦୦୦, ୨୦୦୪, ୨୦୦୯ ଏବଂ ୨୦୧୪ ମସିହାରେ ଜିତିଥିଲେ । ନବୀନ ସରକାରଙ୍କ ଦ୍ୱିତୀୟ ପାଳିରେ ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ କ୍ରୀଡ଼ା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ କାରଣରୁ ସେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ହରାଇବାରୁ ୨୦୧୯ ରେ ତାଙ୍କୁ ଦଳୀୟ ଟିକେଟ ମିଳିଲା ନାହିଁ । ତାଙ୍କ ଜାଗାରେ ବିଜେପିରୁ ଆସିଥିବା ନବାଗତ ସୁନନ୍ଦା ଦାସଙ୍କୁ ଟିକେଟ ମିଳିଥିଲା । ଏହା ଦେବାଶିଷଙ୍କୁ ଅପମାନିତ କରିଥିଲା ଏବଂ ସେ ଗଣମାଧ୍ୟମରେ ନିଜର ଅସନ୍ତୋଷ ଝାଡ଼ିଥିଲେ । ସେବେଠାରୁ ସେ ବସ୍ତୁତଃ ବିଜେଡିରେ ନ ଥିଲେ କହିଲେ ଚଳେ । ଦଳ ତାଙ୍କୁ ଆଉ କୌଣସି କାର୍ଯ୍ୟକ୍ରମରେ ଲୋଡ଼ି ନ ଥିଲା । ରାଜନୀତିରୁ ଏକପ୍ରକାର ବିରାମ ନେଇଥିଲେ ।
ମାତ୍ର କିଛି ମାସ ପୂର୍ବରୁ ଦେବାଶିଷ ପୁଣି ସକ୍ରିୟ ହୋଇଥିଲେ । ବରୀରୁ ସେ ଅଲବତ୍ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ । ବିଜେଡି ତାଙ୍କୁ ଟିକେଟ ନ ଦେଲେ ସେ ବିକଳ୍ପ ପନ୍ଥା ଆପଣେଇବେ ବୋଲି ମଧ୍ୟ ଜଣାଇ ଦେଇଥିଲେ । ସେ ବିଜେପିରେ ମିଶିବାକୁ ଯୋଗସୂତ୍ରରେ ରହିଥିବା ଚର୍ଚ୍ଚା ହୋଇଥିଲା । ଆଜି ଅପରାହ୍ନ ପ୍ରାୟ ୪ଟାରେ ଶ୍ରୀ ନାୟକ ବିଜେଡିରୁ ତାଙ୍କର ଇସ୍ତଫା ଘୋଷଣା କରିଥିଲେ । ବିଜେଡି ସଭାପତିଙ୍କ ପାଖକୁ ପଠାଇଥିବା ତାଙ୍କର ଇସ୍ତଫାପତ୍ରରେ ଦଳରେ ଦୀର୍ଘ ବର୍ଷ ଧରି କାମ କରିବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି । ହେଲେ ଇସ୍ତଫାର କାରଣ ଜଣାଇନାହାନ୍ତି ।
ଇସ୍ତଫା ପ୍ରଦାନର କିଛି ସମୟ ପରେ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଦେବାଶିଷ ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଥିଲେ । ତାଙ୍କୁ ବିଜେପି ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରାଯାଇଥିଲା ।
ଏହି ଅବସରରେ ବିଜେଡି ଉପରେ ଭୀଷଣ ବର୍ଷିଥିଲେ ଦେବାଶିଷ । କହିଥିଲେ, ସେବେକାର ବିଜେଡି ଆଉ ନାହିଁ । ନିର୍ଦ୍ଦିଷ୍ଟ କୋଟରି ଦ୍ୱାରା ଦଳ ପରିଚାଳିତ ହେଉଛି । ଲୋକଙ୍କ ଆସ୍ଥା ହରାଇଥିବା ଏହି ଦଳ ଆଗାମୀ ନିର୍ବାଚନରେ ପରାଜୟ ବରଣ କରିବ ବୋଲି ସେ କହିଥିଲେ ।
ବିଜେପିରେ ଯୋଗଦେଇଥିବା ଅନ୍ୟତମ ପୂର୍ବତନ ବିଧାୟକ ନିହାର ମହାନନ୍ଦ କିଛି ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ସେ ଅତାବିରା ବିଧାୟକ ଥିଲେ ।







