ଭୁବନେଶ୍ୱର: ଏକଦା ବିଜେଡିର ବିଖ୍ୟାତ ‘ବାହୁବଳୀ’ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ନେଇ ଓଡ଼ିଶା ଦୁଲୁକେଇ ଥିଲା ବିଜେପି । ତାଙ୍କୁ ଗୁଣ୍ଡା, ବଦମାସ, ଅସାମାଜିକ ବ୍ୟକ୍ତି କହି ରାଜରାସ୍ତା ଫଟାଇଥିଲା । ବିଜେପି ପ୍ରତିଦ୍ୱନ୍ଦୀ ପୃଥ୍ୱୀରାଜ ହରିଚନ୍ଦନ ଟିଭି କ୍ୟାମେରା ଆଗରେ ଗଳା ଫଟାଇ ଚିତ୍କାର କରିଥିଲେ । ଏଭଳି ନେତାଙ୍କୁ ଦଳରେ ସ୍ଥାନ ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଥିଲେ । ବାଣପୁରରେ ବିଧାୟକଙ୍କ କାଣ୍ଡ କାରଖାନାକୁ ନେଇ ତାତିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ବିଧାୟକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦେଇଥିଲେ । ବିଧାୟକଙ୍କ କାରନାମାକୁ ନେଇ ବିଜେପି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲା । ଆଉ ଆଜି..ସେହି ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ କୋଳେଇ ନେଇଛି ବିଜେପି । ସାଂସଦ ଅପରାଜିତା ଷଡ଼ଙ୍ଗୀ, ଚିଲିକା ପ୍ରତିଦ୍ୱନ୍ଦୀ ପୃଥ୍ୱୀରାଜ ହରିଚନ୍ଦନ ‘ବାହୁବଳୀ’ ଙ୍କ ମୁଣ୍ଡରେ ଟୋପି ଏବଂ ବେକରେ ଗେରୁଆ ଗାମୁଛା ପିନ୍ଧେଇ ବିଜେପିକୁ ସ୍ୱାଗତ କରିଛନ୍ତି । ଓଡ଼ିଶାରେ ବିଜେପିକୁ ଜଗଦ୍ଦେବ ଯଶସ୍ୱୀ କରିବେ ବୋଲି ଆଶା ରଖିଛନ୍ତି ।







