ଭୁବନେଶ୍ୱର: ଏଥର ୧୨୦ରୁ ଅଧିକ ବିଧାନସଭା ଏବଂ ୧୭ ରୁ ଅଧିକ ଲୋକସଭା ଆସନରେ ବିଜେଡି ଜିତିବ । ଆଜି ବିଜେଡି ଏହି ଦୃଢ଼ୋକ୍ତି ପ୍ରକାଶ କରିଛି । ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର କହିଛନ୍ତି ଯେ ଏହା ବିଜେଡିର କାର୍ଯ୍ୟ ପାଇଁ ସମ୍ଭବ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ଼ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି ।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି ଯେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବିପୁଳ ଆଶୀର୍ବାଦ କରିବା ସହ ରେକର୍ଡ ସଂଖ୍ୟକ ଆସନରେ ଜିତାଇବାକୁ ସାଢ଼େ ୪ କୋଟି ଓଡ଼ିଶାବାସୀ ମନସ୍ଥିର କରିସାରିଲେଣି । ଅପରପକ୍ଷେ, ଯେଉଁମାନେ ଜନବିରୋଧୀ କାର୍ଯ୍ୟ କରି ବିଜେଡିରୁ ବିଦା ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ଯେଉଁମାନଙ୍କର ଟିକେଟ୍ ପାଇବାର ସମ୍ଭାବନା ନାହିଁ କିମ୍ବା ଯେଉଁମାନଙ୍କର ଭବିଷ୍ୟତ ବିଜେଡିରେ ନାହିଁ, ସେମାନଙ୍କୁ ଓଡିଶା ବିଜେପି ପାଛୋଟି ନେଉଛି ।
ଏହାର କାରଣ ହେଉଛି, ରାଜ୍ୟ ବିଜେପି ପାଖରେ ୧୪୭ ବିଧାନସଭା ଆସନ ଏବଂ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ନାହାନ୍ତି । ବିଜୁ ଜନତା ଦଳ ସବୁବେଳେ ଜନତାଙ୍କ ପାଇଁ ନିରନ୍ତର କାର୍ଯ୍ୟ କରି ଚାଲିଛି, ଜନତାଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଡ. ପାତ୍ର କହିଛନ୍ତି ।






