ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚଣ୍ଡିଖୋଲରୁ ଓଡ଼ିଶା ପାଇଁ ୨୦ ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉପହାର ଦେଇଛନ୍ତି । ୧୬୨ କିମି ଦୀର୍ଘ ବାଂଶପାଣି-ଦୈତାରୀ-ଟମକା-ଯଖପୁରା ରେଳଲାଇନ୍ ସମେତ ୭ଟି ବୃହତ୍ତ ପ୍ରକଳ୍ପକୁ ଲୋକାର୍ପିତ କରିଥିଲା ବେଳେ ୫ଟି ବୃହତ୍ତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । କେନ୍ଦୁଝରଗଡ଼ ଷ୍ଟେସନରୁ ପୁରୀ-ଆନନ୍ଦବିହାର ଟର୍ମିନାଲ୍ ମଧ୍ୟରେ ନୂଆ ଟ୍ରେନ୍, ପାରାଦ୍ୱୀପ ଷ୍ଟେସନରୁ ପାରାଦ୍ୱୀପ-କେନ୍ଦୁଝରଗଡ଼ ମଧ୍ୟରେ ନୂଆ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କରିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ବନ୍ଧୁତ୍ୱ ଓ ସୌଜନ୍ୟତାର ଝଲକ ଦେଖିବାକୁ ମିଳିଥିଲା । ହେଲିକପ୍ଟରୁ ପାଛୋଟି ଆଣିବାକୁ ଯାଇଥିବା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭାବପୂର୍ଣ୍ଣ ଶୁଭେଚ୍ଛା ଏବଂ ସଭା ଶେଷରେ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସି ବିଦାୟ ନେଇଯିବା ଦୃଶ୍ୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସହ ବିଭିନ୍ନ ପ୍ରକଳ୍ପ ଉପହାର ପାଇଁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ଭାରତ ବର୍ଷକୁ ପ୍ରଧାନମନ୍ତ୍ରୀ ମୋଦୀ ନୂଆ ଦିଶା ଦେଇଛନ୍ତି । ଭାରତକୁ ଅର୍ଥନୀତିର ଏକ ପାୱାରହାଉସ୍ କରିବାକୁ ଯାଉଛନ୍ତି । ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ୍ତ ଅର୍ଥନୀତି ହୋଇଥିବା ବେଳେ ଆଉ କେଇବର୍ଷରେ ତୃତୀୟ ସ୍ଥାନକୁ ଆସିବ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆଜି ଓଡ଼ିଶା ପୂର୍ବ ଭାରତର ଏକ ପ୍ରମୁଖ ମ୍ୟାନଫାକଚରିଂ ହବ୍ ହେବାକୁ ଯାଉଛି । ଭିତ୍ତିଭୂମି ଉନ୍ନୟନରେ ଓଡ଼ିଶାରେ ଆଜି ରୂପାନ୍ତର ଆସିଛି । ମିଶନ ଶକ୍ତି ମା’ ମାନେ ଆଜି ଉଦ୍ୟୋଗୀ ହେବାକୁ ଆଗେଇ ଆସୁଛନ୍ତି । ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଆଜି ଦେଶର ଦ୍ୱିତୀୟ ରାଜ୍ୟ ହୋଇପାରିଛି ।
ମହାପ୍ରଭୁଙ୍କ ଆଶୀର୍ବାଦ ଓ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଶୁଭେଚ୍ଛା ଓ ସହଯୋଗରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା ବିରଜାଙ୍କ ମନ୍ଦିରର ରୂପାନ୍ତର କାମ ଚାଲିଛି ।
ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ଆଗକୁ ଆହୁରି ଅନେକ କାମ କରିବାକୁ ଅଛି । ଓଡ଼ିଶାର ବିକାଶ ପାଇଁ ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କ ଉଦ୍ୟମରେ ମୁଁ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଏବଂ ଓଡ଼ିଶାକୁ ସାହାଯ୍ୟ ସହଯୋଗ ସମ୍ପର୍କରେ ଉଲ୍ଲେଖ କରିଥଲେ । ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିବା ସହ ସ୍ୱର୍ଗତ ବିଜୁ ବାବୁଙ୍କୁ ତାଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଡ଼ିଶା ତଥା ଦେଶର ବିକାଶରେ ବିଜୁବାବୁଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ଆଜି ଅପରାହ୍ନରେ ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଚଣ୍ଡିଖୋଲ ଯାଇଥିଲେ ।






