ଭୁବନେଶ୍ୱର: ଗତକାଲି ଥିଲା ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ମୁଖ୍ୟମନ୍ତ୍ରୀ ଭାବେ ୨୪ ବର୍ଷ ଧରି ତାଙ୍କର ଜନ୍ମଦିନ ପାଳନ ହେଉଥିବା ବେଳେ ଏବର୍ଷ ତାହାର ବ୍ୟତିକ୍ରମ ଥିଲା । ଏଥର ତାଙ୍କର ଜନ୍ମଦିନରେ ସେ ମୁଖ୍ୟମନ୍ତ୍ରୀ ପଦରେ ନ ଥିଲେ ।
ଗତବର୍ଷ ପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ଜନ୍ମଦିନକୁ ଖବରକାଗଜବାଲା ଉତ୍କଣ୍ଠାର ସହ ଅନେଇ ରହୁଥିଲେ । ଅକ୍ଟୋବର ୧୬ ତାରିଖ ଖବରକାଗଜର ପ୍ରଥମ ପୃଷ୍ଠାରେ ନବୀନଙ୍କ ଫଟୋ ସହ ଜନ୍ମଦିନର ଶୁଭେଚ୍ଛା ରହୁଥିଲା । ଭିତରେ ନବୀନଙ୍କ ଉପରେ ଆଉ ଦୁଇ ଚାରିପୃଷ୍ଠାର ଆଲେଖ୍ୟ ରହୁଥିଲା । ତାଙ୍କର ଉଚ୍ଚ ବ୍ୟକ୍ତିତ୍ୱ ଓ ଦୃଢ଼ ନେତୃତ୍ୱର ପ୍ରଶଂସାରେ ଶତମୁଖର ହେଉଥିଲା ପ୍ରମୁଖ ଖବରକାଗଜ । ନବୀନଙ୍କ ପାଇଁ କିଏ କେତେ ଜାଗା ଛାଡ଼ିବ ପ୍ରତିଯୋଗିତା ହେଉଥିଲା ।
ମାତ୍ର ଏଥର କିନ୍ତୁ ସେସବୁ ଦେଖିବାକୁ ମିଳିନି । ନବୀନଙ୍କ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଆକର୍ଷଣ ତଥା ଲୋକପ୍ରିୟତା ଅତୁଟ ଥିଲେ ମଧ୍ୟ ତାଙ୍କ ପାଖରେ କ୍ଷମତା ନାହିଁ । ତେଣୁ ବିନା ମତଲବରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ପୃଷ୍ଠା ନଷ୍ଟ କରିବାକୁ ବୋଧହୁଏ ପ୍ରମୁଖ ଖବରକାଗଜବାଲା ଚାହିଁନାହାନ୍ତି । ପୂର୍ବରୁ ଜନ୍ମଦିନରେ ଫାଳ ଫାଳ ଧରି ନବୀନଙ୍କ ଗୁଣଗାନ କରୁଥିବା ତଥାକଥିତ ଏକ ନମ୍ବର ଖବରକାଗଜରେ ଏଥର ସିଙ୍ଗଲ୍ କଲମ୍ ର ଗୋଟେ ଶୁଭେଚ୍ଛା ଖବର ବି ଆସିଲାନି । ଓଡ଼ିଶାର ଏହି ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମିଦନର ଶୁଭେଚ୍ଛା ଜଣାଇବାର ସୌଜନ୍ୟତା ଭୁଲିଗଲେ ।
ସୂଚନାଥାଉକି, ବିଜେଡି ସରକାର ଅମଳରେ ୨୦୨୩ ଜାନୁଆରୀଠାରୁ ୨୦୨୪ ମେ ପର୍ଯ୍ୟନ୍ତ ବିଭିନ୍ନ ଖବରକାଗଜକୁ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ବିଜ୍ଞାପନ ବାବଦରେ ୩୩ କୋଟି ୭୧ ଲକ୍ଷ ୪୯ ହଜାର ୧୦୬ ଟଙ୍କା ଦିଆଯାଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ କେତେକ ବିଶେଷ କାର୍ଯ୍ୟକ୍ରମରେ ତଥ୍ୟ ଭିତ୍ତିକ ଆଲେଖ୍ୟ(ଆଡଭଟୋରିଆଲ୍) ପାଇଁ ମୋଟ ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା ଖର୍ଚ୍ଚ କରାଯାଇଛି ।
ଆଉ ଏବେ? ମାଲ୍ ନାହିଁ ବୋଲି ସୌଜନ୍ୟତା ନାହିଁ । ଖାଇ ପିଇ ପାର୍..