ଭୁବନେଶ୍ୱର: ଅଙ୍ଗଦାନ କରି ମହାନ କାର୍ଯ୍ୟ କରିଛନ୍ତି ମନୋଜଙ୍କ ପରିବାର ଲୋକେ। ଫଳରେ ୩ଜଣଙ୍କ ଜୀବନ ବଞ୍ଚାଇ ମନୋଜ ସେମାନଙ୍କଠାରେ ସ୍ମୃତି ହୋଇ ରହିବେ। ୪ ଦିନ ତଳେ ପଟିଆ ଅଞ୍ଚଳରେ ମର୍ମନ୍ତୁଦ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଅରିପଦା ଅଞ୍ଚଳର ୨୩ ବର୍ଷ ବୟସ୍କ ମନୋଜ ସାହୁ। ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ କିମ୍ସକୁ ନେଇ ଆସିଥିଲେ। ପରେ ମନୋଜଙ୍କ ବାପା କୈଳାସ ଓ ଅନ୍ୟ ପରିବାର ଲୋକେ ମଧ୍ୟ ପହଞ୍ଚିଥିଲେ କିମ୍ସରେ। ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ମନୋଜଙ୍କ ବ୍ରେନଡେଡ୍ ହୋଇଯାଇଥିବା ଜଣାପଡ଼ିଥିଲା । ପୁଅର ବ୍ରେନଡେଡ୍ ହୋଇଯାଇଥିବା ଜାଣି ବାପା କୈଳାସ ଭାଙ୍ଗି ପଡ଼ିଥିଲେ। ସେ ଜାଣିଥିଲେ ତାଙ୍କ ପୁଅ ଆଉ ବଞ୍ଚିବ ନାହିଁ। କିନ୍ତୁ ସେ ଏହି ପରିସ୍ଥିତିରେ ଏକ କଠିନ ନିଷ୍ପତ୍ତି ନେଇଥିଲେ। ପରିବାର ସଦସ୍ୟଙ୍କ ସହ ଆଲୋଚନା କରି ପୁଅର ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଲେ। କୈଳାସ ଗାଡ଼ି ଚଳାଇ ପ୍ରତିପୋଷଣ କରନ୍ତି। ପୁଅ ମନୋଜ ମଧ୍ୟ ପଟିଆ ଅଞ୍ଚଳରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ।







