ଭୁବନେଶ୍ୱର: ବିବାଦୀୟ ଆଇପିଏସ୍ ଅଫିସର ଆଶିଷ ସିଂଙ୍କ କଷ୍ଟ ଲାଘବ ହୋଇଛି । ମୋହନ ସରକାରଙ୍କ ସମ୍ଭାବ୍ୟ ଆକ୍ରୋଶରୁ ତାଙ୍କୁ ମୁକ୍ତି ମିଳିଛି । କେନ୍ଦ୍ରୀୟ ଡେପୁଟେସନରେ ତାଙ୍କୁ ମନଲାଖି ପୋଷ୍ଟିଂ ମିଳିଯାଇଛି । ତାଙ୍କୁ ଅର୍ଦ୍ଧ ସାମରିକ ବାହିନୀ ଇଣ୍ଡୋ-ତିବ୍ଦତ ବର୍ଡର ପୁଲିସ(ଆଇଟିବିପି)ରେ ଆଇଜି ଭାବେ ନିଯୁକ୍ତି ମିଳିଛି । ୫ ବର୍ଷ ପାଇଁ ସେ ଏହି ପଦରେ ରହିବେ ବୋଲି ଭାରତ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସରକାର ତାଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଚିଠି କରିଛନ୍ତି ।
ଆଶିଷ ସିଂଙ୍କ ନୂତନ ପୋଷ୍ଟିଂ ପୁରସ୍କାର ନା ଦଣ୍ଡ ବୋଲି ଅନେକଙ୍କ ମନରେ ଉତ୍ସୁକତା ଦେଖିବାକୁ ମିଳିଛି । ମାତ୍ର ଏହା ଆଦୌ ପନିସମେଣ୍ଟ ପୋଷ୍ଟିଂ ନୁହେଁ ବୋଲି ଜଣାପଡ଼ିଛି । ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ କହିବାନୁଯାୟୀ, ଆଶିଷ ସିଂଙ୍କ ପାଇଁ ଏହା ଆରାମଦାୟକ ନିଯୁକ୍ତି । ନିଜ ଘର ପାଖ ଏବଂ ପର୍ଯ୍ୟାପ୍ତ ସୁବିଧା ସୁଯୋଗରେ ସେ କାମ କରିବେ । ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଳରେ ରାଜ୍ୟ ସରକାର ତାଙ୍କୁ ହଇରାଣ ହରକତ କରିପାରିବେନି ।
ତେବେ ଏମିତି ହେବା ପଛର ରହସ୍ୟ କ’ଣ? ଏହାକୁ ନେଇ ବୁଦ୍ଧିଜୀବୀ ମହଲର ବି ମୁଣ୍ଡ ଗୋଲ୍ ହୋଇଯାଇଛି । ତଥାକଥିତ ରହସ୍ୟ ଭେଦ କରିବା ଅନେକଙ୍କ ପାଇଁ କଷ୍ଟସାଧ୍ୟ ହୋଇଛି ।
ବିଜେଡି ସରକାର ଅମଳରେ ଅତି ପ୍ରଭାବଶାଳୀ ଅଧିକାରୀଙ୍କ ତାଲିକାରେ ଥିଲେ ଆଶିଷ ସିଂ । କେବଳ ସରକାରରେ ନୁହେଁ, ଦଳୀୟ କାମ କରୁଥିବା ନେଇ ବିଜେପି ପକ୍ଷରୁ ତାଙ୍କ ବିରୋଧରେ ମାଳ ମାଳ ଅଭିଯୋଗ ହୋଇଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ସେ ମାସେ ପାଇଁ ଅଚାନକ ଛୁଟି ନେବା ଘଟଣା ତାଙ୍କୁ ବହୁତ ବିବାଦୀୟ କରିଥିଲା । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ୪.୫.୨୦୨୪ରୁ ଛୁଟି ନେଇଥିଲେ । ମାତ୍ର ଛୁଟିରେ ରହି ବିଜେଡି ପାଇଁ ନିର୍ବାଚନ ପରିଚାଳନା କରୁଥିବା ଅଭିଯୋଗ ନିର୍ବାଚନ କମିସନଙ୍କ ପାଖରେ କରିଥିଲା ବିଜେପି । ନିର୍ବାଚନ କମିସନ ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଶିଷ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଇଥିଲେ ।
ମୋହନ ସରକାରରେ ତାଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ମିଳିଥିଲା । ଅଗଷ୍ଟ ମାସରେ ଗୃହ ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ ହୋଇଥିଲା । ଅଲ୍ ଇଣ୍ଡିଆ ସର୍ଭିସ୍(ଡି ଆଣ୍ଡ ଏ) ରୁଲସ୍-୧୯୬୯ ର ରୁଲ୍- ୮ ଅନୁଯାୟୀ ତାଙ୍କୁ ସୋ କଜ୍ ନୋଟିସ୍ ମଗାଯାଇଥିଲା । ୩୦ ଦିନ ଭିତରେ ଜବାବ ଦେବାକୁ କୁହାଯାଇଥିଲା ।
ଶ୍ରୀ ସିଂ ଏହାର ଜବାବ ଦେଲେ ନା ନାହିଁ ତାହା ବାହାରକୁ ଆସି ନାହିଁ । ମୋହନ ସରକାର ତାଙ୍କୁ ଛାଡ଼ିବେନି ବୋଲି ରାଜନୀତିରେ ରୁଚି ରଖୁଥିବା ଲୋକମାନେ ଚର୍ଚ୍ଚା କରୁଥିଲେ । ମାତ୍ର ଆଶିଷଙ୍କ ନୂତନ ନିଯୁକ୍ତି ସଂକ୍ରାନ୍ତରେ ଭାରତ ସରକାରଙ୍କ ଚିଠି ସେହି ଚର୍ଚ୍ଚାରେ ଅବସାନ ଘଟାଇଛି ।
ଆଶିଷ ସିଂଙ୍କୁ କେନ୍ଦ୍ର ସରକାର କୋଳେଇ ନେଇଥିବାରୁ ବିଜେପି ଏବଂ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ବ୍ୟଙ୍ଗ କରାଯାଇଛି । ମୋହନ ସରକାର କେଡ଼େ ଅସହାୟ ବୋଲି ସୋସିଆଲ୍ ମିଡିଆରେ ପ୍ରଶ୍ନ ହେଉଛି । ବିଜେପି ଯେ ଭୁଲ୍ ଅଭିଯୋଗ କରୁଥିଲା ଏହା ତାର ପ୍ରମାଣ ବୋଲି ବିଜେଡି ନେତାମାନେ ବିଭିନ୍ନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।