ଭୁବନେଶ୍ୱର: ଲୋକସଭା ଭଳି ରାଜ୍ୟସଭାରେ ବିଜେଡି ସଂଖ୍ୟା ଶୂନ ହୋଇଯିବ । ମମତା ମହାନ୍ତ ଏବଂ ସୁଜିତ କୁମାରଙ୍କ ଭଳି ଅନ୍ୟ ବିଜେଡି ସାଂସଦମାନେ ଖୁବ୍ ଶୀଘ୍ର ବିଜେପିକୁ ପଳେଇବେ । ଏଭଳି କିଛି ଖବର କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇ ଆସୁଛି । ଏତିକିବେଳେ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କୁ ୫ ଜଣ ବିଜେଡି ସାଂସଦ ଯାଇ ଭେଟିବା ଏହି ଚର୍ଚ୍ଚାକୁ ଅଧିକ ମସଲା ଦେଇଥିଲା । ଧନକଡ଼ଙ୍କ ବିରୋଧରେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆସିବା ପରେ ପରେ ସମଦୂରତା କଥା କହୁଥିବା ବିଜେଡିର ୫ ଜଣ ସାଂସଦ ଧନକଡ଼ଙ୍କୁ ଭେଟି ତାଙ୍କର ପ୍ରଶଂସା କରିବା ଏବଂ ଅନାସ୍ଥା ପ୍ରସ୍ତାବକୁ ବିଜେଡି ବିରୋଧ କରିବ ବୋଲି ସାଂସଦ ନିରଞ୍ଜନ ବିଶିଙ୍କ ବୟାନ ଗଣମାଧ୍ୟମରେ ଚହଳ ପକାଥିବା ବେଳେ ଆଜି ଦିଲ୍ଲୀରେ ୭ ଜଣ ଯାକ ସାଂସଦ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ରଖିଛନ୍ତି । ବିଜେଡି ଛାଡ଼ି ବିଜେପିରେ ମିଶିବା ଖବରକୁ ସେମାନେ ମିଥ୍ୟା, ମନଗଢ଼ା ବୋଲି କହିଛନ୍ତି । ଆମେ ସମସ୍ତେ ନବୀନ ପଟ୍ଟନାୟକଙ୍କ ସାଥୀରେ ଅଛୁ ଏବଂ ରହିବୁ ବୋଲି ଦୃଢ଼ୋକ୍ତି ଦେଖାଇଛନ୍ତି ।
ଡ. ସସ୍ମିତ୍ ପାତ୍ର ଏହାକୁ ଅପପ୍ରଚାର କହି ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି, ଦିଲ୍ଲୀରେ ରାଜ୍ୟର ସ୍ୱର ଉଠୁ ବୋଲି କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଚାହୁଁନାହାନ୍ତି । ଅନେକ ପ୍ରସଙ୍ଗ ରାଜ୍ୟସଭାରେ ଉଠାଯାଉଛି । ଯାହା ରାଜ୍ୟ ବିଜେପି ସରକାରକୁ ବାଧୁଛି । ତେଣୁ ବିଜେଡି ସାଂସଦମାନଙ୍କ ବିରୋଧରେ ଏକପାଖିଆ ଖବର ପ୍ରସାରଣ କରାଯାଉଛି । ଯଦି ସତ୍ ସାହାସ ଅଛି ତଥ୍ୟ ପ୍ରମାଣ ସାମନାକୁ ଆଣନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ଦେବାଶିଷ ସାମନ୍ତରାୟ କହିଛନ୍ତି, ଆମେ ବିଜୁ ଜନତା ଦଳ ଛାଡ଼ିବାର ନାହିଁ କି ଆମ ନେତାଙ୍କୁ ତଳେ ପକେଇବାର ନାହିଁ । ଆମେ ସ୍ପଷ୍ଟ କରୁଛୁ ଆମେ କେହି ବିଜେଡି କି ଆମ ନେତାଙ୍କୁ ଛାଡ଼ି ଯିବୁ ନାହିଁ । ରାଜ୍ୟସଭା ଅଧ୍ୟକ୍ଷଙ୍କ ସହ ସାଧାରଣ ସାକ୍ଷାତକାରକୁ ନେଇ ଗଣମାଧ୍ୟମରେ ଯେଉଁ ଭଳି ମିଥ୍ୟା ଅପପ୍ରଚାର କରାଯାଉଛି ତାହାକୁ ବନ୍ଦ କରାଯାଉ ।
ଶ୍ରୀମତୀ ସୁଲତା ଦେଓ କହିଛନ୍ତି, କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଆମକୁ ନେଇ ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ଏଠି ୭ ଜଣ ଯାକ ସାଂସଦ ବସି ଆପଣମାନଙ୍କୁ ସ୍ପଷ୍ଟୀକରଣ ଦେଉଛୁ ଯେ ଆମେ ନବୀନ ବାବୁଙ୍କ ସହ ରହିଛୁ ଏବଂ ରହିବୁ ମଧ୍ୟ । ନବୀନ ବାବୁ ଆମର ଧ୍ରୁବ ତାରା । ଆମେ ତାଙ୍କ ସପ୍ତର୍ଷି ମଣ୍ଡଳ । ଆମେ ସବୁ ଏକ ଅଛୁ । ଏକ ହୋଇ ରହିବୁ ।
ମାନସ ମଙ୍ଗରାଜ କହିଛନ୍ତି, ରାଜ୍ୟର ସ୍ୱାର୍ଥ ପାଇଁ ଉପରାଷ୍ଟ୍ରପତିଙ୍କୁ ଭେଟିଥିଲୁ । ଆମକୁ ନେଇ ଭୁଲ ଓ ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଉଛି । ଟିଆରପି ପାଇଁ କାହାକୁ ବଦନାମ କରାଯିବା ଠିକ ନୁହେଁ ।
ମୁନ୍ନା ଖାଁ କହିଛନ୍ତି, ଆମେ ନବୀନ ବାବୁଙ୍କ ସାଙ୍ଗରେ ଦୃଢ଼ ଭାବେ ଠିଆ ହୋଇଛୁ । ଗଣମାଧ୍ୟମରେ ଆମ ବିରୋଧରେ ମିଛ ଅପପ୍ରଚାର କରାଯାଉଛି । ଆମେ ନବୀନ ବାବୁଙ୍କୁ ଧୋକ୍କା ଦେବାର ପ୍ରଶ୍ନ ଉଠୁନି । ବିଜୁ ପରିବାର ଏବଂ ନବୀନ ବାବୁଙ୍କ ସହ ସବୁବେଳେ ଅଛୁ ଏବଂ ଆଗକୁ ରହିବୁ ।
ଶୁଭାଶିଷ ଖୁଣ୍ଟିଆ କହିଛନ୍ତି, ଓଡ଼ିଶାର ସ୍ୱାର୍ଥ ପାଇଁ ନବୀନବବାବୁ ଆମକୁ ପଲ୍ଲୀରୁ ନେଇ ଦିଲ୍ଲୀରେ ପହଞ୍ଚାଇଛନ୍ତି । କିଛି ଗଣମାଧ୍ୟମରେ ଆମକୁ ନେଇ ଏକପାଖିଆ ଖବର ହେଉଛି । ସଂପୃକ୍ତ ଗଣମାଧ୍ୟମକୁ ଆମେ ନିବେଦନ କରୁଛୁ ଆପଣମାନେ ସଠିକ୍ ଖବର ଦେଖାନ୍ତୁ । ଜୀବନର ଶେଷ ନିଶ୍ୱାସ ଥିଲା ଯାଏଁ ନବୀନଙ୍କ ସହ ରହିବି ।
ନିରଞ୍ଜନ ବିଶି କହିଛନ୍ତି, ଆମେ ଯେତେଜଣ ସାଂସଦ ଅଛୁ ବିଜେଡିରେ ରହିବୁ । ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ମନଗଢ଼ା ଖବର ପ୍ରସାରିତ ହେଉଛି । ପ୍ରସାରଣ କରିବା ପୂର୍ବରୁ ଆମର ମତାମତ ନେବା ଦରକାର । ଆମ ମତ ନ ନେଇ ନିଜସ୍ୱ ମତରେ ଖବର କରାଯାଉଛି । ସ୍ୱପ୍ନକୁ ନେଇ ନିଉଜ୍ ହୁଏନି । ଏସବୁ ମିଥ୍ୟା ନିଉଜ୍ ରୁ କ୍ଷାନ୍ତ ନ ରହିଲେ ମାନହାନି ମକଦ୍ଦମା କରିବି ।
ଅନ୍ୟପକ୍ଷରେ ବିଜେଡି ରାଜ୍ୟସଭା ସାଂସଦଙ୍କ ମିଳିତ ପ୍ରେସମିଟ୍ କୁ କଟାକ୍ଷ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନ୍ଦିର ଭିତରେ କିଏ ନା ମୁଁ କଦଳୀ ଖାଇନି ଭଳି କଥା ଇଏ ବୋଲି ମନମୋହନ କହିଛନ୍ତି ।