ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି । ଯେଉଁ ଦିନ ସେ ଭୁବନେଶ୍ୱର ସିବିଆଇ ଅଫିସରେ ହାଜର ହେବା କଥା ସେହିଦିନ ସେ ନୂଆଦିଲ୍ଲୀର ଅଶୋକ ହୋଟେଲରେ ରହିଥିଲେ । ତିନି ଦିନ ଧରି ଅଶୋକ ହୋଟେଲର ଏକଜ୍ୟୁଟିଭ୍ ସୁଇଟ୍ ରେ ତାଙ୍କୁ ରଖିବାର ବ୍ୟବସ୍ଥା କରିଥିଲେ ଖୋଦ୍ ରାଜ୍ୟ ସରକାର । ଗୃହ ବିଭାଗ ପକ୍ଷରୁ ତାଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା ।
ଡିସେମ୍ବର ୧୦ ତାରିଖରେ ଶ୍ରୀ ସେଠୀଙ୍କୁ ସିବିଆଇ ସମନ ପଠାଇଥିଲା । ପରଦିନ ଅର୍ଥାତ ୧୧ ତାରିଖରେ ହାଜର ହେବାକୁ ତାଙ୍କୁ ଚିଠି କରାଯାଇଥିଲା । ମାତ୍ର ସିବିଆଇ ସମନକୁ ସେ ଏଡ଼ାଇ ଦିଲ୍ଲୀ ଚାଲି ଯାଇଥିବା ଏବେ ଜଣାପଡ଼ିଛି । ୧୧, ୧୨ ଓ ୧୩ ତାରିଖରେ ସେ ଦିଲ୍ଲୀର ଅଶୋକ ହୋଟେଲରେ ଥିଲେ । ଖୋଦ୍ ରାଜ୍ୟ ସରକାର ତାଙ୍କ ପାଇଁ ହୋଟେଲ ରହଣି ବ୍ୟବସ୍ଥା କରିଥିଲେ । ଓଡ଼ିଶା ଭବନ ଭଙ୍ଗାଯାଇ କାମ ଚାଲିଥିବାରୁ ଅଶୋକ ହୋଟେଲରେ ତାଙ୍କ ପାଇଁ ଏକଜ୍ୟୁଟିଭ୍ ସୁଇଟ୍ ରିଜର୍ଭ କରାଯାଇଥିଲା । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଚିଠି ନମ୍ବର ୪୬୭୦୮ ରେ ଏହାର ଅଫିସ୍ ଅର୍ଡର କରାଯାଇଥିଲା । ଦିନକ ପାଇଁ ଅଶୋକ ହୋଟେଲ ସୁଇଟ୍/ରୁମ୍ ଚାର୍ଜ ୧୦ ହଜାରରୁ ୨୦ ହଜାର ଟଙ୍କା ଥିବା ବେଳେ ବିଷ୍ଣୁପଦ ମାତ୍ର ୧୨୦ ଟଙ୍କାରେ ସେଠାରେ ରହିଥିଲେ ।







