ଭୁବନେଶ୍ୱର: ଖଣି ବ୍ୟବସାୟ ସହ ସଂପୃକ୍ତ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପଶିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ଆଜି ସକାଳ ୭ଟାରୁ ଅପରାହ୍ନ ସାଢ଼େ ୫ଟା ଯାଏ ତାଙ୍କର ନୟାପଲ୍ଲୀସ୍ଥିତ ବାସଭବନରେ ଚଢ଼ଉ ହୋଇଛି । ଭୁବନେଶ୍ୱର ଓ ଦିଲ୍ଲୀରେ ତାଙ୍କର ଆଉ ଦୁଇଟି ଜାଗାରେ ମଧ୍ୟ ଚଢ଼ଉ କରିଥିଲା ଇଡି । ବେଆଇନ ଅର୍ଥ କାରବାର ନେଇ ତାଙ୍କ ଘରେ ଇଡି ରେଡ୍ କରିଥିବା କୁହାଯାଉଛି । ତେବେ ତାହା ସ୍ପଷ୍ଟ ହୋଇନାହିଁ ।
ଆଜି ସକାଳ ପ୍ରାୟ ୭ଟାରେ ଇଡିର ଏକ ୧୦ ଜଣିଆ ଟିମ୍ ନିରଞ୍ଜନ ପଟ୍ଟନାୟକଙ୍କ ବାସଭବନରେ ପହଞ୍ଚିଥିଲେ । ସେମାନେ ସିଧାସଳଖ ତାଙ୍କ ଘରେ ପଶି ଛାନଭିନ୍ ଆରମ୍ଭ କରିଥିଲେ । ଦିନସାରା ସେମାନଙ୍କର ଅପରେସନ୍ ଚାଲିଥିଲା । କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଘର ଚାରିପଟେ ସିଆରପିଏଫ ଫୋର୍ସ ଜଗି ରହିଥିଲେ । ଦୀର୍ଘ ୧୦ ଘଣ୍ଟାର ଘଣ୍ଟାଚକଟା ପରେ ଅପରାହ୍ନ ସାଢ଼େ ୫ଟା ବେଳେ ଯାଇ ଇଡି ଟିମ୍ ତାଙ୍କ ଘରୁ ବାହାରିଥିଲେ ।
ଏହି ଚଢ଼ଉ ଚକ୍ରାନ୍ତରେ ଇଡି ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ । ସେହିଭଳି ନିରଞ୍ଜନ ପଟ୍ଟନାୟକ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।