ଭୁବନେଶ୍ୱର: ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ଗଠନ କରିଛନ୍ତି ଓଡ଼ିଶା ଲ’ କମିସନ । ଦୁଇଜଣ ସଦସ୍ୟ, ଦୁଇ ଜଣ ଏକ୍ସ-ଅଫିସିଓ ସଦସ୍ୟ ଏବଂ ଜଣେ ମେମ୍ବର ସଦସ୍ୟଙ୍କୁ ନେଇ କମିସନ କାର୍ଯ୍ୟ କରିବ । ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ନବଗଠିତ ଓଡ଼ିଶା ଲ ‘ କମିସନରେ ଦୁଇ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରକାଶ ମିଶ୍ର ଏବଂ ସୌର ଚନ୍ଦ୍ର ମହାପାତ୍ର ସଦସ୍ୟ ଥିବା ବେଳେ ଆଡଭୋକେଟ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ଏବଂ ଆଇନ ବିଭାଗର ପ୍ରମୁଖ ସଚିବ ଏକ୍ସ-ଅଫିସିଓ ସଦସ୍ୟ ଅଛନ୍ତି । ମେମ୍ବର ସଚିବ ଭାବେ ଜଣେ ଅତିରିକ୍ତ ସଚିବ(ଏକ୍ସ ଅଫିସିଓ) କାର୍ଯ୍ୟ କରିବେ ।
ରାଜ୍ୟରେ ଆଇନଗତ ସଂସ୍କାର ଏବଂ ଆବଶ୍ୟକୀୟ ବିଧେୟକ ପ୍ରଣୟନ ଦିଗରେ ଓଡ଼ିଶା ଲ’ କମିସନ ରାଜ୍ୟ ସରକାରଙ୍କୁ ସହଯୋଗ ଓ ପରାମର୍ଶ ଦେବେ ।