ଭୁୁବନେଶ୍ୱର: କେନ୍ଦ୍ର ବଜେଟ୍ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା..
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦିଗ୍ଦର୍ଶନରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଲା ସୀତାରମନଜୀ ଆଜି ଲୋକସଭାରେ ଏକ ଐତିହାସିକ ବଜେଟ ଆର୍ଥିକ ବର୍ଷ 2025-26 ପାଇଁ ଆଗତ କରିଛନ୍ତି । ଏଥର ବଜେଟର ଆକାର ରେକର୍ଡ 50 ଲକ୍ଷ 65 ହାଜର କୋଟି ଟଙ୍କା ଯାହା ଦେଶର ପ୍ରଗତି ଏବଂ ବିକାଶକୁ ଏକ ନୂତନ ଦିଶା ପ୍ରଦାନ କରିବ । ସାମଗ୍ରିକ ଭାବେ ଚଳିତ ବଜେଟ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ । ଚାଷୀ, ଦିନ ମଜୁରିଆ, ମଧ୍ୟମ ବର୍ଗ, ଚାକିରିଆ, ମହିଳା, ଯୁବ, ଛାତ୍ର ସମସ୍ତଙ୍କ ପାଇଁ ଏହି ବଜେଟରେ କିଛି ନା କିଛି ଭଲ ଖବର ଅଛି।
ମଧ୍ୟବିତ୍ତ ପରିବାରଙ୍କ ଆଶା ଆକାଂକ୍ଷାକୁ କେନ୍ଦ୍ର ସରକାର ପୂରଣ କରିବାରେ ସମର୍ଥ ହୋଇଛନ୍ତି । ଆପଣମାନଙ୍କର ମନେଥିବ, ଗତକାଲି ସଂସଦ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ମାନନୀୟ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଆଗତ ହେବାକୁ ଥିବା ବଜେଟରେ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀ କୃପାଦୃଷ୍ଟି ବର୍ଷିବ, ଏବଂ ଆଜି ଠିକ୍ ସେଇଆ ହିଁ ହେଲା ।
ଆୟକର ଦାତାଙ୍କ ପାଇଁ ୧୨ ଲକ୍ଷ ଟଙ୍କା ଅର୍ଥାତ ମାସକୁ ଏକ ଲକ୍ଷ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ଟିକସ ଦେବାକୁ ପଡିବ ନାହିଁ । ଏହା ଦ୍ଵାରା ସେମାନେ ଅତି କମରେ ପ୍ରାୟ ୮୦ ହଜାର ଟଙ୍କା ସଞ୍ଚୟ କରିବେ ଯାହା ଭାରତୀୟ ଅର୍ଥନୀତିକୁ ଆହୁରି ସୁଦୃଢ କରିବ । ଏହା ହେଉଛି ପ୍ରକୃତରେ ମୋଦୀ ଗ୍ୟାରେଣ୍ଟି- ଯାହା କୁହନ୍ତି, ତାହା କରନ୍ତି ।
ମାନନୀୟ ପ୍ରଧାନମନ୍ତ୍ରୀଙ୍କ ହୃଦୟରେ ଅନ୍ନଦାତାଙ୍କ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ଅଛି । ଏଥରର ବଜେଟରେ 100 ଗୋଟି ଜିଲ୍ଲାରେ ଉତ୍ପାଦକତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚାଷୀ ଭାଇ ଓ ଭଉଣୀଙ୍କ ପାଇଁ ‘ଧନଧାନ୍ୟ କୃଷି ଯୋଜନା’ ପ୍ରସ୍ତାବିତ କରାଯାଇଛି, ଯାହା ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ସହାୟକ ହେବ । ଏହି ନୂତନ ଯୋଜନାରେ ଦେଶର 1 କୋଟି 70 ଲକ୍ଷ ଚାଷୀ ଉପକୃତ ହେବେ । ପରିବର୍ତ୍ତିତ ସୁଧ ରିହାତି ଯୋଜନା (Interest Subvention Scheme) ଅଧୀନରେ କିଷାନ କ୍ରେଡିଟ୍ କାର୍ଡ ମାଧ୍ୟମରେ ଋଣ ସୀମା 3 ଲକ୍ଷ ଟଙ୍କାରୁ 5 ଲକ୍ଷ ଟଙ୍କାକୁ ବୃଦ୍ଧି ଘୋଷଣା ଚାଷୀମାନଙ୍କୁ ଆବଶ୍ୟକୀୟ ନଗଦ ରାଶି ଯୋଗାଇବାରେ ସହାୟକ ହେବ ।
ନୂତନ ରୋଜଗାର ସୃଷ୍ଟି କରିବା ପାଇଁ ଚଳିତ ବଜେଟରେ ରେକର୍ଡ 15 ଲକ୍ଷ 50 ହଜାର କୋଟି ଟଙ୍କାର ପୁଞ୍ଜି ଖର୍ଚ୍ଚ (Capital Investment) ପ୍ରାବଧାନ କରାଯାଇଛି । ଏଥି ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ 54 ହଜାର 832 କୋଟି ଟଙ୍କା ପ୍ରାବଧାନ କରାଯାଇଛି, ଯାହା ଚଳିତ ବର୍ଷ ପାଇଁ 32 ହଜାର 426 କୋଟି ଟଙ୍କା ଥିଲା । ଏହି ବର୍ଦ୍ଧିତ ପ୍ରାବଧାନର ଲାଭ ଓଡିଶା ମଧ୍ୟ ପାଇବ ଏବଂ ଆସନ୍ତା ବର୍ଷ ଆମେ ରେକର୍ଡ ସଂଖ୍ୟକ ଗୃହ ରାଜ୍ୟର ଗରିବ ଲୋକଙ୍କୁ ଯୋଗାଇଦେବୁ ।






