ଭୁବନେଶ୍ୱର: ଗଲା ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଚାଷୀଙ୍କୁ ସାର ଯୋଗାଣ ସ୍ଥିତି ଉପରେ ସମୀକ୍ଷା କରିଥିଲେ । ବୈଠକ ପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଅବଗତି ନିମନ୍ତେ ସାର ତଥ୍ୟ ରଖିଥିଲେ । ୨୦୨୫ ଖରିଫ୍ ଋତୁରେ ସେପ୍ଟେମ୍ବର ୩୦ ସୁଦ୍ଧା ରାଜ୍ୟ ପାଇଁ ଆବଶ୍ୟକ ଥିବା ୯,୫୫,୦୦୦ ମେଟ୍ରିକ୍ ଟନ ସାରକୁ କେନ୍ଦ୍ର ସରକାର ଆବଣ୍ଟନ କରିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ମହଜୁଦ ଅଛି ୧୧,୬୬,୭୩୩ ମେଟ୍ରିକ୍ ଟନ ସାର । ସେଥିରୁ ୯,୮୫,୯୬୭ ମେଟ୍ରିକ୍ ଟନ ସାର ଚାଷୀଙ୍କୁ ଦିଆସରିଛି । ସୁତରାଂ ରାଜ୍ୟରେ ସାରର କୌଣସି ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏଥିସହ ସାର ଆବଣ୍ଟନ କାର୍ଯ୍ୟକୁ ଠିକ୍ ଭାବରେ ମନିଟରିଂ କରିବାକୁ ଜିଲ୍ଲାପାଳମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଜଣାଇଥିଲେ ।
ଆଜି ୧୫ ତାରିଖ । ରାଜ୍ୟର ବିଭିନ୍ନ ସ୍ଥାନରେ ସାର ପାଇବା ପାଇଁ ଚାଷୀ କିଭଳି ଡହଳ ବିକଳ ତାହାର ଚିତ୍ର ସାମନାକୁ ଆସିଛି । ଦୁଇଦିନ ତଳେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଞ୍ଜାମ ଗସ୍ତରେ ଯାଇ ସାର ସ୍ଥିତିର ସମୀକ୍ଷା କରିଥିଲେ । କୌଣସି ଅଭାବ ନାହିଁ ବୋଲି କହି ଫେରିଥିଲେ । ମାତ୍ର ସାର ସଙ୍କଟରେ ଅତିଷ୍ଠ ଚାଷୀକୂଳ ଆଜି ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତା ଅବରୋଧ କରି ସରକାରଙ୍କୁ ପ୍ରତିବାଦ ଜଣାଇଛନ୍ତି । ଆସ୍କାରେ ଚାଷୀମାନେ ସାର ପାଇଁ ସମବାୟ ସମିତି ଆଗରେ ରାତି ଅଧରୁ ଲାଇନ୍ ରେ ଛିଡ଼ା ହେବା ପରେ ନିରାଶ ହୋଇ ଘରକୁ ଫେରିଛନ୍ତି । କୋରାପୁଟ ଜିଲ୍ଲାର ବିଭିନ୍ନ ଜାଗାରେ ମଧ୍ୟ ସମାନ ଅବସ୍ଥା । ବସ୍ତେ ସାର ପାଇଁ ଚାଷୀମାନେ ଡହଳ ବିକଳ ହେଉଛନ୍ତି ।
ସାରର ଅଭାବ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କଥା ଯଦି ସତ ତାହାହେଲେ ଆହୁରି ସାଂଘାତିକ । କାରଣ ସାର ଗଚ୍ଛିତ ଥାଇ ମଧ୍ୟ ସରକାର ଚାଷୀଙ୍କୁ ସାର ଯୋଗାଇ ପାରୁନାହାନ୍ତି । ଏହା ସରକାରଙ୍କ ବିଫଳତା । ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶ କ’ଣ ହେଲା?







