ଭୁବନେଶ୍ୱର: ବ୍ୟସ୍ତବହୁଳ ଓ ଭାରାକ୍ରାନ୍ତ ଜୀବନରେ ମାନସିକ ସ୍ୱାସ୍ଥ୍ୟ ଏବେ ବଡ଼ ସମସ୍ୟା ହୋଇଛି । ଦିନକୁ ଦିନ ଏହି ସମସ୍ୟା ବଢ଼ି ଜଟିଳ ରୂପ ଧାରଣ କଲାଣି । ଏହାକୁ କମ୍ କରିବା ପାଇଁ ବିଭିନ୍ନସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପୋଖରୀପୁଟସ୍ଥିତ ମଧୁସୂଦନ ପାର୍କଠାରେ ରବିବାର ଦିନ ଏକ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଶତାଧିକ ବ୍ୟକ୍ତି ସାମିଲ ହୋଇ ମାନସିକ ସ୍ୱାସ୍ଥ୍ୟ କମ୍ କରିବା ପାଇଁ ଶପଥ ନେଇଥିଲେ ।
ଲାୟନସ୍ ଇଣ୍ଟରନ୍ୟାସନାଲ୍(ଡିଷ୍ଟ୍ରିକ୍ଟ ୩୨୨ସି୪)ଭୁବନେଶ୍ୱର, ଲାୟନ୍ସ କ୍ଲବ୍ ରେନବୋ, ଭୁବନେଶ୍ୱର, ବିବେକାନନ୍ଦ କେନ୍ଦ୍ର, ଭୁବନେଶ୍ୱର ଏବଂ ଏମଏସ ୱାକର୍ସ କ୍ଲବ୍ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ୍ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଡ. ହେମନ୍ତ ଖୁଣ୍ଟିଆ, ବିବେକାନନ୍ଦ କେନ୍ଦ୍ର ପ୍ରଭାରୀ ସଂତାପ ଭାଇ, ଲାୟନ୍ସ କ୍ଲବ୍ ଭୁବନେଶ୍ୱର ମେଣ୍ଟାଲ୍ ହେଲଥ କୋଅର୍ଡିନେଟର୍ ଶ୍ରୀମତୀ ରଶ୍ମିତା ସାହୁ, ଲାୟନ୍ସ କ୍ଲବ୍ ରେନବୋ ର ପ୍ରେସିଡେଣ୍ଟ ତଥା କାର୍ଯ୍ୟକ୍ରମର ଆବାହକ ବାଲ୍ମିକୀ ପାତ୍ର ଓ ଓଲିଉଡ୍ ର ବରିଷ୍ଠ କଳାକାର ସମୀର ତ୍ରିପାଠୀ ପ୍ରମୁଖ ଭାଗ ନେଇ ସମାଜରେ ମାନସିକ ସ୍ୱାସ୍ଥ୍ୟ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏହି ଅବସରରେ ବିବେକାନନ୍ଦ କେନ୍ଦ୍ର ଓ ୱାକର୍ସ କ୍ଲବ୍ ସଦସ୍ୟଙ୍କ ଦ୍ୱାରା ଯୋଗ ଶିବିରର ଆୟୋଜନ କରାଯାଇଥିଲା । ପରେ ପରେ ଏକ ସ୍ୱାସ୍ଥ୍ୟ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ।
ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ପୁରୁଷ, ମହିଳା ତଥା ବରିଷ୍ଠ ନାଗରିକ ଏହି ଭବ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ଖୁସି ବ୍ୟକ୍ତ କରିଥିଲେ ।
ବିବେକାନନ୍ଦ କେନ୍ଦ୍ର ସଦସ୍ୟା ରିତିମୁକ୍ତା ବଳିଆରସିଂ କାର୍ଯ୍ୟକ୍ରମ ସଂଚାଳନା କରିଥିଲେ ।